କନକ ବ୍ୟୁରୋ : ଗୋରୁ ଗାଡି ପୋଡି ମାମଲାରେ କମର୍ଦ୍ଦା ଥାନା ପୋଲିସ ୪ ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି । ଏହାର ପ୍ରତିବାଦରେ ଗତକାଲି ରାତି ୨ଟାରୁ ବଜରଙ୍ଗ ଦଳର କର୍ମୀ କରିଥିବା ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି । ବାଲେଶ୍ୱର ଏସପି ସକାଳ ୯ଟାରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିବା ସୂଚନା ମିଳିଛି । ଶନିବାର ବିଳମ୍ବିତ ରାତିରେ ତିନିଟି ଗାଡିରେ ଶତାଧିକ ଗୋରୁଙ୍କୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲା ।

Advertisment

ଏହି ଖବର ପାଇବା ପରେ ବଜରଙ୍ଗ ଦଳର କର୍ମୀ ଗାଡିକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚିବାରେ ବିଳମ୍ବ ହେବାରୁ ଉତ୍ୟକ୍ତ ଲୋକେ ଗାଡିରୁ ଗୋରୁ ବାହାର କରି ଗାଡିକୁ ଜାଳି ଦେଇଥିଲେ । ଏହି ମାମଲାରେ ପୋଲିସ ୪ ଜଣ ଯୁବକଙ୍କୁ ଥାନାକୁ ଉଠାଇ ନେଇ ପଚରାଉଚରା କରୁଛି । ଏହାକୁ ପ୍ରତିବାଦ କରି ଗତକାଲି ରାତି ୨ଟାରେ ସ୍ଥାନୀୟ ଲୋକେ ଓ ବଜରଙ୍ଗ ଦଳର କର୍ମୀ ଥାନା ଘେରାଉ କରିବା ସହ ରାସ୍ତାରୋକ କରିଥିଲେ । କିନ୍ତୁ ବାଲେଶ୍ୱର ଏସପି ଲୋକଙ୍କ ସହ ଆଲୋଚନା କରି ସମାଧାନ କରିବାକ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଛି ।