କାମ ନାହିଁ ତ’ ଭୋଟ୍ ନାହିଁ : ଦାବି ପୂରଣ ନହେଲେ ଭୋଟ ଦେବେ ନାହିଁ କହିଲେ ଗାଁ ଲୋକ

135

କନକ ବ୍ୟୁରୋ : ଉଭୟ ବାଲେଶ୍ୱର ଏବଂ ତିର୍ତୋଲ ନିର୍ବାଚନ ମଣ୍ଡଳୀର କିଛି ଗାଁରେ  ଲୋକେ ଭୋଟ ବର୍ଜନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା, ରାସ୍ତା ଖଣ୍ଡେ ହୋଇପାରୁନି , ଆମେ ଭୋଟ ଦେବୁ କାହିଁକି । ବାରମ୍ବାର ବିଧାୟକଙ୍କୁ ଏନେଇ ଜଣାଇ ଦିଆଯାଇଛି, ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଛି । ହେଲେ କେହି ତାଙ୍କ କଥା ଶୁଣିନାହାନ୍ତି । ତେଣୁ କଥାରେ ନୁହେଁ ଏବେ କାମରେ କରି ଦେଖାଅ ବୋଲି ଆହ୍ୱାନ ଦେଇଛନ୍ତି ଗ୍ରାମବାସୀ ।

ନିର୍ବାଚନ ଆସୁଛି, ନିର୍ବାଚନ ଯାଉଛି, ନେତା ଆସୁଛନ୍ତି ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ ସବୁ ପାଣିର ଗାର ପାଲଟିଯାଇଛି । ଖାସ ସେଥିପାଇଁ ଏଥର ଭୋଟ ନ ଦେବାକୁ ସ୍ଥିର କରିଛନ୍ତି ବାଲେଶ୍ୱରର ଜଙ୍ଗଲଘେରୀ ଗାଁଲୋକେ । ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ପରିଖୀ ପଂଚାୟତର ଜଙ୍ଗଲଘେରୀ ଗାଁରେ ରହୁଥିବା ୫୦ ପରିବାର ଭୋଟ ଭର୍ଜନ କରିଛନ୍ତି । କହିଛନ୍ତି ଆଉ ପ୍ରତିଶ୍ରୁତି ଚଳିବ ନାହିଁ, କାମରେ କରି ଦେଖାଅ ।

ଗାଁକୁ ଭଲ ରାସ୍ତା ନାହିଁ । ନଈ ପାର ହୋଇ ଭୋଟ ଦେବାକୁ ଯାଆନ୍ତି ଲୋକେ । ରାସ୍ତା ନଥିବାରୁ ଅନ୍ୟ ଏକ ପ୍ରବେଶ ପଥରେ ବାଉଁଶ ପୋଲ ସାହାଯ୍ୟରେ ପାରି ହୁଅନ୍ତି ଲୋକେ । ବାରମ୍ବାର ଅଭିଯୋଗ ସତ୍ୱେ ଗାଁକୁ ରାସ୍ତା ହୋଇପାରୁନି । ଅଧିକ ହଇରାଣ ହେଉଛନ୍ତି ଗର୍ଭବତୀ ମହିଳା । ଆଉ ସେଥି ପାଇଁ ଭୋଟ ବର୍ଜନ କରିଛନ୍ତି ।

କନକ ନ୍ୟୁଜରେ ଭୋଟ ବର୍ଜନ ସମ୍ପର୍କରେ ଖବର ପ୍ରସାରଣ ପରେ ଏହି ଗାଁରେ ପହଂଚିଥିଲେ ପ୍ରଶାସନିକ ଅଧିକାରୀ । ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଅନୁରୋଧ କରିଥିଲେ । ଗାଁ ଲୋକଙ୍କ ଦାବି ଉପରେ ବି ଆଲୋଚନା କରିଥିଲେ । ତଥାପି ଜିଦରେ ଅଟଳ ଗାଁ ଲୋକେ ।

ସେପଟେ ଜଗତସିଂହପୁର ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ଭୋଟ ବର୍ଜନ କରିଛନ୍ତି ୫ଟି ପଂଚାୟତର ଲୋକେ । କଟରା ପଂଚାୟତର ହାଜିନଗର, ଗୋପାଳପୁର ପଂଚାୟତର ମଇଦପୁର, ଖରଦା ସାହି, କଣ୍ଠିଗଡ଼ିଆ, ହୁଡ଼ାସାହିରେ କେହି ଭୋଟ ଦେଇନାହାନ୍ତି । ସେମାନଙ୍କ ଦାବି ହେଲା ତେନମେନ କେନାଲ ଉପରେ ରାସ୍ତା, ହଂସୁଆ ନଦୀର ବନ୍ୟା ଜଳରୁ ସୁରକ୍ଷା, କେନାଲ ବନ୍ଧର ମରାମତି ଏବଂ ଭଲ ସରକାରୀ ରାସ୍ତା ।

ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଆପଣେଇଥିବା ରାସ୍ତା ବାଧ୍ୟ କରିବା ନେତାଙ୍କୁ ଭାବିବା ପାଇଁ ଭୁଲ କୋଉଠି ରହିଗଲା । କାହିଁକି ଭୋଟ ଦେଲେନି ଗ୍ରାମବାସୀ ।