କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ନୀରିହ ପରିବାର । ଘରଦ୍ୱାର ପୋଡି ଛାରଖାର କରିଦେଲେ ଗ୍ରାମବାସୀ, ଗାଁକୁ ଫେରିଲେ କଲେଜ ପଢୁଆ ଝିଅକୁ ଦୁଷ୍କର୍ମ ଧମକ ।

211

କନକ ବ୍ୟୁରୋ : ଗ୍ରାମବାସୀଙ୍କ କଙ୍ଗାରୁ କୋର୍ଟରେ ଦଣ୍ଡିତ ନୀରିହ ପରିବାର । ସରକାରୀ ଜମି ଜବର ଦଖଲ ଅଭିଯୋଗରେ ପରିବାର ଉପରେ ଆକ୍ରମଣ କରି ଘରଦ୍ୱାର ପୋଡିଦେଲେ ଗ୍ରାମବାସୀ । ଖାଲି ଏତିକି ନୁହେଁ କଲେଜ ପଢୁଆ ଝିଅକୁ ଦୁଷ୍କର୍ମ ସହ ପୁରା ପରିବାରକୁ ଜୀବନରେ ମାରି ଦେବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ପୀଡିତ । ଜୀବନ ଭୟରେ ଭିଟାମାଟି ଛାଡି ଅନ୍ୟ ଗାଁରେ ଗୁହାଳ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମଦନପୁରର ମକୁନ୍ଦ ମହାକୁଡଙ୍କ ପରିବାର ।

କଙ୍ଗାରୁକୋର୍ଟରେ ଦଣ୍ଡିତ ନୀରିହ ପରିବାର । ଘରଦ୍ୱାର ପୋଡି ଛାରଖାର କରିଦେଲେ ଗ୍ରାମବାସୀ । ଅନୁଗୁଳ ଜିଲ୍ଲା ମଦନପୁର ଗାଁରେ କଙ୍ଗାରୁ କୋର୍ଟ । ସରକରୀ ଜମି ଜବରଦଖଲ ଅଭିଯୋଗରେ ଗାଁର ମୁକୁନ୍ଦ ମହାକୁଡ଼ଙ୍କ ପରିବାର ଉପରେ ଗ୍ରାମବାସୀଙ୍କ ଅକଥନୀୟ ଅତ୍ୟାଚାର । ବୈଠକରେ ମୁକୁନ୍ଦଙ୍କୁ ଦୋଷୀ ସାବ୍ୟସ୍ତ କରି ଗାଁ ଲୋକେ ତାଙ୍କ ଘରଦ୍ୱାର ଭଙ୍ଗାରୁଜା କରିବା ସହ, ଧାନ, ଚାଉଳ ପୋଡି ଛାରାଖାର କରିଦେଇଛନ୍ତି । ମୁକୁନ୍ଦ ନିଜ ଘର ଡିହକୁ ଲାଗିକି ଥିବା ୪ ଡିସିମିଲ ସରକାରୀ ଜମିକୁ ଦଖଲ କରିଥିଲେ । ଯେଉଁଥି ପାଇଁ ଗ୍ରାମବାସୀ ଏପରି ସଜ୍ଜା ଦେଇଛନ୍ତି । ଗାଁରେ ବହୁ ବ୍ୟକ୍ତି ସରକାରୀ ଜାଗା ମାଡି ବସିିଛନ୍ତି, ହେଲେ ସେହି ସମାନ ଦୋଷ ପାଇଁ ମୁକୁନ୍ଦଙ୍କ ପରିବାରକୁ ଦଣ୍ଡ ମିଳିଛି ।

ଘରଦ୍ୱାର ହରାଇ ବାରଦୁଆର ଶୁଣ୍ଢିପିଣ୍ଡା । ଅନ୍ୟ ଗାଁରେ ମୁଣ୍ଡ ଗୁଞ୍ଜିଛନ୍ତି ଅସହାୟ ପରିବାର । ସର୍ବହରା ହୋଇ ଗାଁରୁ ବାସନ୍ଦ ହୋଇଥିବା ମୁକୁନ୍ଦ ମହାକୁଡଙ୍କ ପରିବାର ଜୀବନ ଭୟରେ ଅନ୍ୟ ଗାଁରେ ଆଶ୍ରୟ ନେଇଛନ୍ତି । ଏନେଇ ଆଠମଲ୍ଲିକ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ସୁଦ୍ଧା ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କହିଛନ୍ତି ପିଡ଼ିତ । ଅନ୍ୟପଟେ ଏହି ଘଟଣାକୁ ଆଠମଲ୍ଲିକ ଓକିଲ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ସେପଟେ କେବଳ ଉପର ଠାଉରିଆ ଭାବେ ଏକ ଶାନ୍ତି ମିଟିଂ କରି ପ୍ରଶାସନ ଚୁପ୍ ବସିଛି । ଆଠମଲ୍ଲିକ ବିଡିଓ ଘଟଣାକୁ ସ୍ୱୀକାର କରି ଏହା ନିନ୍ଦନୀୟ ବୋଲି କହିବା ସହ ଗ୍ରାମବାସୀଙ୍କ ଏଭଳି ଅନ୍ୟାୟ ଅତ୍ୟାଚାରକୁ ନାପସନ୍ଦ କରିଛନ୍ତି ।

କଙ୍ଗାରୁ କୋର୍ଟରେ ଗୋଟିଏ ପରିବାର ନିର୍ଯାତିତ ହେବା ଘଟଣାକୁ ନେଇ ପୁଲିସ୍ ଓ ପ୍ରଶାସନ ନୀରବତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଇ ଏହାର ନିରପେକ୍ଷ ତଦନ୍ତ କରି ତୁରନ୍ତ ଏହି ପରିବାରଙ୍କୁ ନ୍ୟାୟ ଯୋଗାଇଦେବା ଜରୁରୀ ହୋଇପଡିଛି ।