ଲାଲଗଡ଼ରେ ଗୋଟିଏ ରାତି । ଲାଲଗଡରେ ରାତି ବିତାଇଲା କନକ ନ୍ୟୁଜ୍ ଟିମ୍ । ରାତିରେ ଅସ୍ତ୍ରଶସ୍ତ୍ର ଧରି ଗାଁ ଜଗୁଛନ୍ତି ଗ୍ରାମବାସୀ ।

363

କନକ ବ୍ୟୁରୋ : ଲାଲଗଡର ଯେଉଁ ଅଂଚଳ ଦିନେ ମାଓବାଦୀଙ୍କ ଗଡ ବୋଲି କୁହାଯାଉଥିଲା, ସେଭଳି କିଛି ଗାଁରେ ରାତି ବିତାଇଛି ଆମ କ୍ୟାମେରା ଟିମ । ଆଉ ରାତିରେ ଯାହା ଦେଖିଥିଲୁ, ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଏହି ଅଂଚଳର ପ୍ରାୟ ୩୦ଟି ଗାଁର ଲୋକେ ମାଓବାଦୀଙ୍କୁ ଗାଁରେ ପୁରାଇ ନଦେବା ପାଇଁ ଅସ୍ତ୍ରଶସ୍ତ୍ର ଧରି ଜଗି ରହିଛନ୍ତି । କିଛି ଦିନ ପୂର୍ବରୁ ପୋଲିସ ଇନଫର୍ମର କହି, ଜଣେ ଗ୍ରାମବାସୀଙ୍କୁ ମାଓବାଦୀ ହତ୍ୟା କରିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି, ଗାଁଲୋକେ ।

ଅନ୍ଧାର ରାତି । ଗାଁ ରାସ୍ତାରେ ସତର୍କ ପ୍ରହରୀଙ୍କ ପହରା । ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର । କାହା ହାତରେ ଧନୁ ତୀର, କିଏ ଧରିଛି ଟାଙ୍ଗିଆ, ପୁଣି କାହା ହାତରେ ଦାଆ । କେଉଁ ବୁଦା ଖସ ଖସ ହେଲେ, କେଉଁଠୁ କଣ ଶବ୍ଦ ହେଲେ ସତର୍କ ହୋଇ ଉଠୁଛନ୍ତି । ଗାଁରୁ ଏ ମୁଣ୍ଡରୁ ସେ ମୁଣ୍ଡ ପାଟ୍ରୋଲିଂ କରୁଛନ୍ତି ଗାଁ ସିପାହୀ । ସ୍ୱାଭିମାନ ଅଂଚଳରେ ଏକଦା ମାଓବାଦୀଙ୍କ ଗଡ କୁହାଯାଉଥିବା ଏହି ଅଂଚଳରେ କନକ ନ୍ୟୁଜର ଟିମ୍ ସାରା ରାତି ବିତାଇ, ଏଠାକାର ପରିସ୍ଥିତି ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲା ।

ମାଓବାଦୀଙ୍କ କୋପରୁ ଗାଁଲୋକଙ୍କୁ ସୁରକ୍ଷା ଦେବାକୁ ଗାଁର ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ପୁରୁଷ ଦଳ ଦଳ ହୋଇ ଗାଁକୁ ଜଗିଛନ୍ତି । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳର ଖଜୁରିଗୁଡା ଗାଁର ଜଣେ ଯୁବକଙ୍କୁ ଅକ୍ଟୋବର ୨୦ ତାରିଖରେ ଖଜୁରିଗୁଡା ଗାଁର ଜଣେ ବ୍ୟକ୍ତିଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ ମାଓବାଦୀ । ମାଓବାଦୀ ହତ୍ୟା କରିବା ପରେ ମୁକାବିଲା କରିବାକୁ ଅଂଟା ଭିଡିଛନ୍ତି ଗ୍ରାମବାସୀ ।

କେବଳ ଖଜୁରୀଗୁଡା ନୁହେଁ ସ୍ୱାଭିମାନ ଅଂଚଳର ଯୋଡାମ୍ବ ଓ ପଣସପୁଟ ପଂଚାୟତର ପ୍ରାୟ ୩୦ ଖଣ୍ଡ ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି । ରାତି ହେଲେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଗାଁକୁ ଜଗୁଛନ୍ତି ଗାଁର ଭେଣ୍ଡିଆ ଯୁବକ । ମାଓବାଦୀଙ୍କ ବିରୋଧରେ ଗ୍ରାମବାସୀଙ୍କ ଏଭଳି ସଜବାଜ ଏକ ଭଲ ସଙ୍କେତ ଦେଉଛି । ସେ ହେଉଛି ମାଓବାଦୀଙ୍କୁ ଆଉ ପ୍ରଶ୍ରୟ ଦେବାକୁ ପ୍ରସ୍ତୁତ ନୁହଁନ୍ତି ଏହି ଗାଁର ଲୋକମାନେ । ଆଉ ଯଦି ଗାଁଲୋକଙ୍କ ସମର୍ଥନ ନମିଳେ, ତେବେ ମାଓବାଦୀଙ୍କ ସଂଗଠନ ଦୁର୍ବଳ ହୋଇଯିବାର ଅନେକ ସମ୍ଭାବନା ରହିଛି ।