୧୫ ଦିନରେ ଗଲାଣି ୧୫ ଜଣଙ୍କ ଜୀବନ । କିନ୍ତୁ କରୋନା ଟେଷ୍ଟ କରିବାକୁ ରାଜି ହଉନାହାନ୍ତି ଗ୍ରାମବାସୀ, ଓଲଟା ଯାଞ୍ଚ ଟିମକୁ ଦେଲେ ଧମକ ।

409

କନକ ବ୍ୟୁରୋ : କେବଳ ସହର ନୁହେଁ ଏବେ ଗାଁରେ ମଧ୍ୟ କାୟା ମେଲାଇ ଚାଲିଛି କରୋନା ଭୂତାଣୁ । ଆଉ ଏପରି ସ୍ଥିତିରେ ଗାଁ ଗୁଡିକରେ ଟେଷ୍ଟିଂ ବଢାଇବା ଉପରେ ଗୁରୁତ୍ୱ ଦିଆଯାଉଛି । କାରଣ ଦେଶର କେତେକ ଗାଁରୁ ଅଧିକ ସଂଖ୍ୟାରେ କରୋନାରେ ମୃତ୍ୟୁ ହେଉଥିବା ଖବର ଆସୁଛି । ଏହା ସତ୍ୱେ ମଧ୍ୟ କରୋନା ଟେଷ୍ଟ କରାଇବା ପାଇଁ ପ୍ରସ୍ତୁତ ନାହାନ୍ତି ଗାଁଲୋକେ । ଆଉ ଏହାରି ଭିତରେ ଉତ୍ତରପ୍ରଦେଶରୁ ଯେଉଁ ଖବର ଆସିଛି, ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡର ଏକ ଗାଁରେ ଯେତେବେଳେ, ସ୍ୱାସ୍ଥ୍ୟ ବିଭାଗର ଟିମ୍ ଯାଞ୍ଚ କରିବା ପାଇଁ ପହଞ୍ଚିଥିଲେ, ସେତେବେଳେ ଗାଁଲୋକେ ତାଙ୍କୁ ଘେରିବା ସହ ଗାଁରୁ ତଡିଦେଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଗାଁରେ ଜ୍ୱର-ଥଣ୍ଡାରେ ପୀଡିତ ହୋଇ ଗତ ୧୫ ଦିନ ଭିତରେ ୧୫ଜଣ ଲୋକଙ୍କର ଜୀବନ ଗଲାଣି । ଏହା ପରେ ମଧ୍ୟ କରୋନା ଟେଷ୍ଟ କରାଇବା ପାଇଁ ରାଜି ହେଉନାହାନ୍ତି ଗ୍ରାମବାସୀ ।

କରୋନା ସଂକ୍ରମଣ ଦିନକୁ ଦିନ ଅଧିକ ଭୟଙ୍କର ହେଉଥିବା ବେଳେ, ସମସ୍ତଙ୍କୁ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି । କିନ୍ତୁ ଏପରି ମାନସିକତା ଚିନ୍ତା ବଢାଇବା ସ୍ୱାଭାବିକ । ଯଦି ଆପଣମାନଙ୍କ ପାଖରେ କରୋନାର କୌଣସି ବି ଲକ୍ଷଣ ଦେଖାଯାଉଛି, ତେବେ ସଙ୍ଗେ ସଙ୍ଗେ କରୋନା ପରୀକ୍ଷା କରାଇନେବା ଉଚିତ୍ ।