କନକ ବ୍ୟୁରୋ : ଆଜି କା ଦିନରେ ଲୋକେ ଜଙ୍ଗଲ ନଷ୍ଟ କରିବାରେ ଲାଗିଛନ୍ତି । ଜଙ୍ଗଲ ସଫା କରି ଗଢି ଉଠୁଛି ଗାଁ ଓ ସହର । କଂକ୍ରିଟ ଜଙ୍ଗଲରେ ପରିଣତ ହେବାରେ ଲାଗିଛି ଏ ପୃଥିବୀ । ଗଛ କଟା ଚାଲିଛି ଆଉ ଯାହାର ପ୍ରଭାବରେ ଅହେତୁକ ଭାବରେ ବଢିବାରେ ଲାଗିଛି ତାପମାତ୍ରା, ବର୍ଷା ଲୁଚକାଳି ଖେଳୁଥିବା ବେଳେ ଖରା ଗରମରେ ସନ୍ତୁଳି ହେଉଛନ୍ତି ଲୋକେ । ଏହାରି ଭିତରେ ସମାଜକୁ ଏକ ବଡ ବାର୍ତା ଦେଇଛନ୍ତି ଆଦିବାସୀ ବହୁଳ ସୁନ୍ଦରଗଡ ଜିଲ୍ଲାର ଏକ ଗ୍ରାମବାସୀ । ଜଙ୍ଗଲକୁ ଭଲ ପାଉଥିବା ଗାଁଟି ହେଉଛି ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ସାଗରପାଲି । ଗାଁ ମୁଣ୍ଡରେ ଥିଲା ଏକ ବଡ ଲଣ୍ଡା ପାହାଡ । ଯାହାକୁ କର୍ଲାଡୁଙ୍ଗୁରୀ ଲଣ୍ଡା ପାହାଡ ବୋଲି କୁହାଯାଏ । ସେଠାରେ ଛାଇ ଟିକିଏ ଖୋଜିଲେ ମିଳୁନଥିଲା । ହେଲେ ଏବେ ସ୍ଥିତି ବଦଳି ଯାଇଛି । ସବୁଜୀମାକୁ ଭଲ ପାଉଥିବା ଗ୍ରାମବାସୀ ଲଣ୍ଡା ପାହାଡକୁ ଘଂଚ ଜଙ୍ଗଲରେ ପରିଣତ କରିଛନ୍ତି ।

Advertisment

ନିଜ ଖର୍ଚରେ ଲଣ୍ଡା ପାହାଡରେ ଗଛ ଲଗାଇବା ସହ ପାଳି କରି ଜଙ୍ଗଲ ଜଗୁଛନ୍ତି । ପ୍ରତିଦିନ ୨ ଜଣ ଠେଙ୍ଗା ଧରି ଗଛ ଜଗିବା ସହିତ ତାର ରକ୍ଷଣାବେକ୍ଷଣ କରୁଛନ୍ତି । ପ୍ରତି ଘରୁ ପ୍ରତି ମାସରେ କିଛି କିଛି ଧାନ ସଂଗ୍ରହ କରି ଜଙ୍ଗଲ ସୁରକ୍ଷା ପାଇଁ କର୍ପସ ଫଣ୍ଡ ତିଆରି କରିଛନ୍ତି । ଯାହା ଜଙ୍ଗଲ ସୁରକ୍ଷାରେ ଖର୍ଚ୍ଚ ହେଉଛି । ଏବେ ଲଣ୍ଡା ପାହାଡରେ ଏବେ ଶାଳ, ପିଆଶାଳ ସହ ବହୁ ଜଙ୍ଗଲୀ ଗଛ ରହିଛି ।