ଟିକା ଦେବାକୁ ଆସିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି ନଦୀକୁ ଡେଇଁପଡିଲେ ଗ୍ରାମବାସୀ । ଏସଡିଏମଙ୍କ ବୁଝାସୁଝା ପରେ ମାତ୍ର ୧୪ ଜଣ ନେଲେ ଟିକା ।

443

କନକ ବ୍ୟୁରୋ : କରୋନା ଟିକାକୁ ନେଇ ଲୋକମାନଙ୍କ ମନରେ ଅନେକ ଭ୍ରମ ଓ ଭୟ ଦେଖିବାକୁ ମିଳିଛି । ବିଶେଷ କରି ଏହା ଗ୍ରାମୀଣ ଇଲାକାରେ ରହୁଥିବା ଲୋକମାନଙ୍କ ଠାରେ ଅଧିକ ଦେଖିବାକୁ ମିଳିଛି । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବାରବାଙ୍କୀ ଜିଲ୍ଲାରେ । ଜିଲ୍ଲାର ସିସୋଡା ଗ୍ରାମରେ ଟିକା ଦେବାକୁ ଆସିଥିବା ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଦେଖି ଗ୍ରାମବାସୀମାନେ ନଦୀକୁ ଡେଇଁପଡିଥିଲେ । ଏହାଦେଖି ଟିକାଦେବାକୁ ଆସିଥିବା କର୍ମୀମାନେ ଭୟଭିତ ହୋଇଯାଇଥିଲେ । ଗ୍ରାମବାସୀଙ୍କୁ ନଦୀ ଭିତରୁ ବାହାରକୁ ଆସିବାକୁ ଅନୁରୋଧ କରିଥିଲେ ବି ସେମାନେ ମାନି ନଥିଲେ    । ଏହାପରେ ଉପ ଜିଲ୍ଲା ଅଧିକାରୀ ଘଟଣା ସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ୧୫୦୦ ଗ୍ରାମବାସୀଙ୍କ ମଧ୍ୟରୁ ମାତ୍ର ୧୪ ଜଣ ଟିକା ନେବାକୁ ରାଜି ହୋଇଥିଲେ ।

ଉପ ଜିଲ୍ଲା ଅଧିକାରୀ ରାଜୀବ ଶୁକ୍ଳା ଓ ନୋଡାଲ ଅଧିକାରୀ ରାହୁଲ ତ୍ରିପାଠୀ ଗ୍ରାମବାସୀଙ୍କ ସହ ଦୀର୍ଘ ସମୟ ଧରି କଥା ହୋଇଥିଲେ , ସେମାନଙ୍କୁ ଟିକାର ଉପକାରିତା ବାବଦରେ ବୁଝାଇବା ସହ ଟିକାକୁ ନେଇ ସେମାନଙ୍କ ମନରେ ଥିବା ଭ୍ରମ ଦୂର କରିବାକୁ ଚେଷ୍ଟା କରିଥିଲେ । ହେଲେ ସେମାନେ ଏସବୁ ବୁଝିବାକୁ ନାରାଜ । ଶେଷରେ ୧୫୦୦ ଗ୍ରାମବାସୀଙ୍କ ମଧ୍ୟରୁ ମାତ୍ର ୧୪ ଜଣ ଲୋକ ଟିକା ନେବାକୁ ରାଜି ହୋଇଥିଲେ ।

କହିରଖୁ କି କେବଳ ବାରବାଙ୍କୀ ନୁହେଁ ସାରା ଦେଶର ଅନେକ ଲୋକଙ୍କ ମନରେ ଏବେ ଟିକାକୁ ନେଇ ଭ୍ରାନ୍ତି ଓ ଭୟ ଉଭୟ ଦେଖିବାକୁ ମିଳିଛି । ସାମାଜିକ ଗଣମାଧ୍ୟମରେ ବିଭିନ୍ନ ମିଛ ଖବର ପ୍ରସାରଣ ଏହାର ମୁଖ୍ୟ କାରଣ ବୋଲି କୁହାଯାଇଛି ।