ସ୍କୁଲ ବନ୍ଦକୁ ନେଇ ବଢୁଛି ବିବାଦ । ଗ୍ରାମବାସୀଙ୍କ ଚେତାବନୀ ସ୍କୁଲ ନାହିଁ ତ ଭୋଟ୍ ନାହିଁ ।

91

କନକବ୍ୟୁରୋ :ଦୀର୍ଘ ୪୦ବର୍ଷ ଧରି ସ୍କୁଲକୁ ହଠାତ ସରକାରଙ୍କ ନିର୍ଦ୍ଦେଶ ପରେ ବନ୍ଦ କରି ଦିଆଯାଇଛି। ଯାହାକୁ ନେଇ ଗ୍ରାମବାସୀ ଏ ଅଫିସରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲାଣି। ଶେଷରେ ଗାଁ ଦାଣ୍ଡରେ ମେଳି କରି ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି। ଏଭଳି କିଛି ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରୁ। ୧୯୮୬ରେ ପ୍ରତିଷ୍ଠା ହୋଇଥିଲା ଭୋଗରାଇ ବ୍ଲକ କଂଟାବଣି ନେତ୍ରମୋହନ ଏମଇ ବିଦ୍ୟାଳୟ । ଏହାରି ଭିତରେ ୪୦ ବର୍ଷ ବିତିସାରିଛି ।

କିନ୍ତୁ ଚଳିତ ବର୍ଷ ବିଦ୍ୟାଳୟକୁ ବନ୍ଦ କରିବା ନିଷ୍ପତି ନେଇଛି ଶିକ୍ଷା ବିଭାଗ । ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ଚଳିତ ବର୍ଷ ଷଷ୍ଠ ଓ ସପ୍ତମ ଶ୍ରେୀରେ ପଢୁଥିବା ୪୧ ଜଣ ଛାତ୍ରଛାତ୍ରୀ ନାନା ଅସୁବିଧା ଭୋଗୁଛନ୍ତି । ସ୍କୁଲଟି ବନ୍ଦ ହେବାରୁ ୩ କିଲୋମିଟର ଦୂର ବିଦ୍ୟାଳୟକୁ ଯିବା ଲାଗି ରାଜି ହେଉନାହାନ୍ତି । ତେଣୁ ବିଦ୍ୟାଳୟ ବନ୍ଦକୁ ବିରୋଧ କରି ସ୍କୁଲ ନଖୋଲିଲେ ଭୋଟ ଦେବେ ନାହିଁ ବୋଲି ମେଳି ବାନ୍ଧିଛନ୍ତି ଗ୍ରାମବାସୀ ।

ସ୍କୁଲ ଖୋଲିବା ଦାବିରେ ଗତ ୮ ତାରିଖରେ ଗେଟ୍ରେ ତାଲା ପକାଇ ଆମରଣ ଅନଶନ କରିଥିଲେ । ଏନେଇ ହାଇକୋର୍ଟରେ ମାମଲା ଦାୟର ହେବା ପରେ ଆସନ୍ତା ୨ ତାରିଖ ସୁଦ୍ଧା ବ୍ଲକ ଶିକ୍ଷା ଅଧିକାରୀ କୋର୍ଟରେ ତଥ୍ୟ ରଖିବାକୁ ନୋଟିସ୍ କରିଛନ୍ତି । ତେଣୁ ୨ ତାରିଖରେ ତଥ୍ୟ ପ୍ରଦାନ ପରେ ୬ରେ ସ୍କୁଲ ସଂପର୍କରେ ନିଷ୍ପତି ନିଆଯିବ ବୋଲି ଭୋଗରାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ କହିଛନ୍ତି । ସେପଟେ ଗାଁ ଲୋକଙ୍କ ଗୋଟିଏ ଜିଦ୍, ସରକାର ତୁରନ୍ତ ନିଷ୍ପତି ନିଅନ୍ତୁ । ନଚେତ୍ କଂଟାବଣି ନେତ୍ରମୋହନରେ ମତଦାନ କେନ୍ଦ୍ର କରାଇ ଦିଆଯିବ ନାହିଁ କି ଗ୍ରାମବାସୀ ମତଦାନ କେନ୍ଦ୍ରକୁ ଯିବେ ନାହିଁ । ଖାଲି ସେତିକି ନୁହେଁ, ଗାଁରେ ନେତାଙ୍କ  ପ୍ରବେଶ କରାଇ ଦେବୁ ନାହିଁ ବୋଲି ସିଧାସିଧା ଶୁଣାଇ ଦେଇଛନ୍ତି ।