ରାତି ପାହିଲେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ : ଜିଲ୍ଲାରେ ରାଜନୈତିକ ହିଂସା ବଢ଼ୁଥିବାରୁ ଚିନ୍ତାରେ ରାଜନେତା

93

କନକ ବ୍ୟୁରୋ : ଆସନ୍ତାକାଲି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ । ଏହା ପୂର୍ବରୁ ଅଶାନ୍ତ ହୋଇପଡ଼ିଛି ଗଞ୍ଜାମ । ମାସକ ଭିତରେ ଗଞ୍ଜାମରେ ତିନି ଜଣ ରାଜନେତାଙ୍କ ହତ୍ୟା ପରେ ଆତଙ୍କରେ ଅଛନ୍ତି ଜନପ୍ରତିନିଧି । ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ଥିବାରୁ ଚିନ୍ତାରେ ପଡିଛନ୍ତି ସମିତି ସଭ୍ୟ । ବିଜେଡିର ଦୁଇ ଗୋଷ୍ଠୀ ବିପ୍ଳବ ପାତ୍ର ଓ ବିପିନ ପ୍ରଧାନଙ୍କ ସମର୍ଥକଙ୍କ ମଧ୍ୟରେ ବିବାଦ ଲାଗି ରହିଛି ।

ଗଞ୍ଜାମରେ ଯେଉଁଭଳି ଭାବେ ନେତାମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରି ହତ୍ୟା କରାଯାଉଛି, ତାହା ବିପିନ ଗୋଷ୍ଠୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରିଛି । ବିପିନଙ୍କ ସମର୍ଥିତ ୧୪ଜଣ ସମିତି ସଭ୍ୟ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ସେମାନଙ୍କୁ କାଳେ କିଏ ଅପହରଣ ବା ହତ୍ୟା କରିଦେବ, ସେନେଇ ଆତଙ୍କରେ ଅଛନ୍ତି । ସେଥିପାଇଁ ୨୪ ଘଣ୍ଟା ଦିଗପହଣ୍ଡି ବ୍ଲକର ପ୍ରତି ପଞ୍ଚାୟତର ଲୋକେ ପାଳି ପାଳି ନିଜ ନେତାଙ୍କୁ ଜଗୁଛନ୍ତି । ଏପରିକି ଅଜ୍ଞାତବାସରେ ଥିବା ବେଳେ ଆନ୍ଧ୍ରର ସୀମାଞ୍ଚଳ ମନ୍ଦିରରେ କିଛି ଦୁର୍ବୃତ୍ତ ବିପିନ ଓ ତାଙ୍କ ସମର୍ଥକଙ୍କୁ ଅପହରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା ।

ସୂଚନା ଅନୁସାରେ, ଦିଗପହଣ୍ଡିରେ ଦୁଇ ଗୋଷ୍ଠୀଙ୍କ ବିବାଦ ଯୋଗୁଁ ବିପିନଙ୍କୁ ବିଜେଡି ବହିଷ୍କାର କରିଥିଲା । ବର୍ତ୍ତମାନ ବିପ୍ଳବଙ୍କ ପାଖରେ ୧୪ ସମିତି ସଭ୍ୟ ଏବଂ ବିପ୍ଳବଙ୍କ ପାଖରେ ୧୦ ସମିତି ସଭ୍ୟଙ୍କ ସମର୍ଥନ ରହିଛି । ପୂର୍ବରୁ ଅଗଷ୍ଟ ୩୦ ରେ ନିର୍ବାଚନ ହେବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ଏହା ପରେ ଅକ୍ଟୋବର ୪ରେ ଉପନିର୍ବାଚନ ନେଇ ତାରିଖ ଧାର୍ଯ୍ୟ କରାଯାଇଛି ।