ଖବର ବାଜିଲା ବିଜୁଳି ଜଳିଲା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆଠଗଡ଼ର ୨ଟି ଆଦିବାସୀ ଗାଁରେ ସଂଯୋଗ ହେଲା ବିଜୁଳି ଆଲୁଅ, ଗାଁକୁ ଯୋଡ଼ି ହେଲା ଭଲ ରାସ୍ତା ।

124

କନକ ବ୍ୟୁରୋ : ଖବର ବାଜିଲା ବିଜୁଳି ଜଳିଲା । ଖବର ପ୍ରସାରଣ ପରେ ଗାଁରେ ଜଳିଲା ବିଜୁଳି । ସ୍ୱାଧୀନତା ପରେ ବିଦ୍ୟୁତ୍ କ’ଣ ଜାଣିନଥିଲେ କଟକ ଆଠଗଡ଼ ବ୍ଲକ ଭଗୁଆ ଓ ଓର୍ଦାର ଆଦିବାସୀ ଲୋକେ । ଗାଁକୁ ବିଦ୍ୟୁତ୍ ଯୋଗାଣ ପାଇଁ ଖୁଣ୍ଟି ପଡ଼ି ତାର ଯାଇଥିଲେ ମଧ୍ୟ ବିଜୁଳି ପାଇବାରୁ ବଞ୍ଚିତ ହୋଇଥିଲେ ଗାଁ ଲୋକେ । ଏନେଇ ଖବର ପ୍ରସାରଣ ପରେ ଗାଁ ବିଦ୍ୟୁତ୍ ଟ୍ରାନ୍ସଫର୍ମର ନିକଟରେ ଫିତା କାଟି ଆଦିବାସୀଙ୍କ ମୁହଁରେ ହସ ଫୁଟାଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ସ୍ୱାଧୀନତାର ୭୪ ବର୍ଷ ପରେ ଆଦିବାସୀ ଗାଁରେ ସଂଯୋଗ ହେଲା ବିଦ୍ୟୁତ, ଗାଁକୁ ଯୋଡିଲା ଭଲ ରାସ୍ତା । ଆମେ କୁହୁଛୁ କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ଭୋଗୁଆ ଓ ଓର୍ଦା ଆଦିବାସୀ ଗାଁର କଥା । ଏହି ଦୁଇଟି ଆଦିବାସୀ ଗାଁକୁ ରାସ୍ତା ନଥିଲା, ବିଦ୍ୟୁତ ଖୁଣ୍ଟ ପୋତା ଯାଇ, ଘରକୁ ତାର ଟଣା ଯାଇଥିଲେ ବି ବିଜୁଳି ସଂଯୋଗ ହୋଇନଥିଲା । ଫଳରେ ସମସ୍ୟା ଭୋଗୁଥିଲେ ୪ଶହ ଆଦିବାସୀ ପରିବାର ।

ଭୋଗୁଆ ଓ ଓର୍ଦା ଆଦିବାସୀ ଗାଁର ସମସ୍ୟା ସମ୍ପର୍କିତ ଖବର ପ୍ରସାରଣ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ଗାଁକୁ ଭଲ ରାସ୍ତା ହେବା ସହ ବିଦ୍ୟୁତ ଟ୍ରାନ୍ସମିଟର ବସାଇ ବିଜୁଳି ସଂଯୋଗ କରାଯାଇଛି । ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଦ୍ୟୁତ ସେବାର ଶୁଭାରମ୍ଭ କରିଛନ୍ତି । ବିଦ୍ୟୁତ ସେବା ଆରମ୍ଭ ହୋଇଥିବା ବେଳେ ଆଗକୁ ଏହି ଅଂଚଳରେ ସବୁ ପ୍ରକାର ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ।