ମୁହାଁମୁହିଁ ହେବେ ହାତୀ-ମଣିଷ: ହାତରେ ଅସ୍ତ୍ର ଓ ନିଆଁ ହୁଳା ଧରି ସଜବାଜ ସୁନ୍ଦରଗଡ କୁତ୍ରା ଅଂଚଳର ଲୋକ 

126

କନକ ବ୍ୟୁରୋ: ସଜବାଜ ହେଲେଣି ଗାଁର ଲୋକ । ହାତରେ ଅସ୍ତ୍ର ଆଉ ନିଆଁ ହୁଳା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗାଁର ଲୋକମାନ ତିଆରି କରିଛନ୍ତି ହାତୀ ଚେଙ୍କ । ନିଆଁ ଜାଳି ତତଲା ଲୁହ ଚେଙ୍କ ଦିଆଯିବ ହାତୀଙ୍କୁ । ଏହି ଦୃଶ୍ୟ ହେଉଛି ସୁନ୍ଦରଗଡ ବଡଗାଁ କୁତ୍ରା ଅଂଚଳର । ପାଖରେ ଥିବା ହାତୀ ସବୁ ନୂଆ ଗାଁ ପଂଚରାରୁ ନେଇ ପାଖ ଗାଁ ଗୁଡିକରେ ପଶି ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି । କହିବାକୁ ଗଲେ ହାତୀ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ହାତୀ ପଲ ଉତ୍ପାତ କରୁଥିବା ବେଳେ ବହୁ ଘର ଦ୍ୱାର ଉଜୁଡିବାରେ ଲାଗିଛି । ବର୍ଷ ସାରା ଧାର କରଜ କରି ଫସଲ କରିଥିବା ବେଳେ ଆଖି ସାମନାରେ ଦଳିଚକଟି ନଷ୍ଟ କରିଚାଲିଛି ହାତୀ । ଯାହା ପାଇଁ ଚାଷୀ ମୁଣ୍ଡରେ ପଡିଛି ବଜ୍ର । ଖାଲି ସେତିକି ନୁହେଁ ବନ ବିଭାଗ ପକ୍ଷରୁ କରାଯାଇଥିବା ନୂଅ ଗଛର ବି ପତା ମିଳୁନି । ଖାଦ୍ୟ ପାଇଁ ହାତୀ ଗାଁ ମୁହାଁ ହେବାରେ ଲାଗିଛନ୍ତି । ଆଉ ତାଙ୍କୁ ପ୍ରତିରୋଧ ପାଇଁ ବନବିଭାଗ ବି ଫେଲ୍ ମାରିଛି । ଯାହାପାଇଁ ଗାଁର ଲୋକ ପ୍ରତିବର୍ଷ ଭଳି ଚଳିତଥର ଏହି ଚେଙ୍କ ଦେବାକୁ ପ୍ରସ୍ତୁତ ହେଲେଣି । ଗୋଟିଏ ପଟେ ଧନଜୀବନ ସୁରକ୍ଷା ପାଇଁ ଚେଙ୍କ ଦିଆଯାଉଥିବା ବେଳେ ଅନ୍ୟ ପଟେ ହାତୀର ଜୀବନ ପଡୁଛି ବିପଦରେ । ପ୍ରତିଥର ଏହିଭଳି କାର୍ଯ୍ୟ ଜାରି ରହିଲେ ଆଗକୁ ହାତୀ ବଂଶ ଲୋପ ପାଇବ ଏଥିରେ ସନ୍ଦେହ ନାହିଁ ।