ରାସ୍ତା ଦେଉଛି ନର୍କ ଯନ୍ତ୍ରଣା । କାଦୁଅ ପଚ ପଚ ରାସ୍ତା ପାଇଁ ଦୁର୍ଦ୍ଦଶାରେ ଘାଣ୍ଟି ହେଉଛନ୍ତି ମହାକାଳପଡାବାସୀ ।

266

କନକ ବ୍ୟୁରୋ : ଆଣ୍ଠୁଏ ଆଣ୍ଠୁଏ ପାଣି କାଦୁଅରେ ଫୁଟିଛି ରାସ୍ତା । ଆଉ ସେହି ରାସ୍ତାରେ ନସର ପସର ହୋଇ ଯାତାୟତ କରୁଛନ୍ତି ଗ୍ରାମବାସୀ । ବର୍ଷା ଦିନେ ରାସ୍ତାରେ କାଦୁଅ ଏବଂ ପାଣି ଜମି ରହିବାରୁ ଗ୍ରାମବାସୀ ଭୋଗୁଛନ୍ତି ନର୍କ ଯନ୍ତ୍ରଣା । ରାସ୍ତା ଖଣ୍ଡିଏ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନି ଗ୍ରାମବାସୀଙ୍କ ସବୁଦିନିଆ ରାସ୍ତାର ସ୍ୱପ୍ନ ।

ରାସ୍ତା ସମସ୍ୟାରେ ଘାଣ୍ଟି ହେଉଛନ୍ତି କେନ୍ଦ୍ରାପଡା ମହାକାଳପଡା ବ୍ଲକ ସୁନିତି ପଂଚାୟତ ୪ ନମ୍ବର ୱାର୍ଡ ବାସିନ୍ଦା । ପ୍ରାୟ ୪୦ ପରିବାରର ୩୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଠ ଏହି ଗାଁକୁ ଆଜି ଯାଏଁ କଂକ୍ରିଟ ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ । ଭଲ ରାସ୍ତାଟିଏ ନଥିବାରୁ ସ୍ଥାନୀୟ ଲୋକେ ବର୍ଷା ଦିନେ ପ୍ରାୟ ୩ କିଲୋମିଟର କାଦୁଅ ପଚପଚ ରାସ୍ତାରେ ପଶି ଯିବାଆସିବା କରୁଛନ୍ତି ।

ସୁନିତି ପଂଚାୟତ ୪ ନମ୍ବର ୱାର୍ଡର ସମସ୍ୟା ଦୀର୍ଘ ଦିନର । ଗାଁକୁ ପକ୍କା ରାସ୍ତା ନାହିଁ କି ମାଟି ରାସ୍ତାରେ ମୋରମ ମୁଠାଏ ବି ପଡିନାହିଁ । ଅନ୍ୟଦିନ ଗୁଡିକରେ ଯାହା ଯେମିତି ଚଳିଯାଏ, ହେଲେ ବର୍ଷା ଦିନେ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ । ରାସ୍ତାଟିଏ ନିର୍ମାଣ ପାଇଁ ଗ୍ରାମବାସୀ ଅନେକ ଥର ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । ହେଲେ କେହି ସେମାନଙ୍କ କଥା ଶୁଣୁନାହାନ୍ତି । ରାସ୍ତା ସମସ୍ୟା ପାଇଁ ଦୁର୍ଦ୍ଦଶାରେ ଘାଣ୍ଟି ହେଉଥିବା ୪ ନମ୍ବର ୱାର୍ଡ ବାସିନ୍ଦାଙ୍କ ସମସ୍ୟା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।