ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଗ୍ରାମ ପଂଚାୟତ ହେବା ପରେ ଠେକଡି ଗାଁର ଲୋକେ ଥାନା ଦେଖିଥିଲେ । ପଂଚାୟତ ନିର୍ବାଚନ ସମୟରେ ଦଳୀୟ କନ୍ଦଳ ପରେ ପ୍ରଥମ ଥର ପାଇଁ ଥାନାରେ ଅଭିଯୋଗ ଦାଖଲ କରିଥିଲେ । ଏହା ପୂର୍ବରୁ ଗାଁର ଛୋଟ ବଡ ମାମଲାଗୁଡିକୁ ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତି ପଂଚାୟତରେ ସମାଧାନ କରୁଥିଲେ । ଏହାଦ୍ୱାରା ଗାଁରେ ଶାନ୍ତି ଓ ଭାଇଚାରା ବନି ରହିଥିଲା । ଠେକଡି ଓ ଗ୍ୟାସନିୟାନବାସ ଗାଁ ନଗରପାଳିକାରେ ସାମିଲ ଥିଲେ । ଏହି ଦୁଇ ଗାଁ ବିଧାନସଭା ଓ ଲୋକସଭାରେ ଭୋଟ ଦେଉଥିଲେ । ଏମାନଙ୍କୁ ନଗରପାଳିକା ବା ପଂଚାୟତ ନିର୍ବାଚନରେ ଭୋଟ ଦେବାର ଅଧିକାର ନଥିଲା । ଗାଁର ଜନସଂଖ୍ୟା ପାଖାପାଖି ୭୦୦ । ଏହି ଗାଁରେ ଏତେ ଭାଇଚାରା , ପ୍ରେମ ଥିଲା କି ଗାଁରେ ଯେତେ ବଡ ସମସ୍ୟା ହେଲେ ବି ତାହା ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଦ୍ୱାରା ସମାଧାନ ହୋଇଯାଉଥିଲା ଓ ତାଙ୍କ ନିଷ୍ପତ୍ତି କୁ ସମସ୍ତେ ମାନୁଥିଲେ । ଏଥିପାଇଁ କୈାଣସି ପକ୍ଷରୁ ବିବାଦ ବି ହେଉନଥିଲା ।
ଗ୍ରାମବାସୀଙ୍କ ଦାବି ପରେ ୨୦୧୭ରେ ଠେକଡି ଏବଂ ଗ୍ୟାସନିୟାନବାସ ଗାଁର ପଂଚାୟତର ଗଠନ ଫିରୋଜପୁର ଝିରକା ଗାଁ ନାମରେ କରାଗଲା । ୨୮ ଜାନୁୟାରୀରେ ଗ୍ରାମ ପଂଚାୟତର ନିର୍ବାଚନ ହେଲା । ଗ୍ରାମ ପଂଚାୟତ ହେବା ପରଠାରୁ ଗାଁରେ ଦଳ ଗଠନ ଆରମ୍ଭ ହୋଇଯାଇଥିଲା । ୧୦ ମାର୍ଚ୍ଚରେ ଠେକଡି ଗାଁର ଗୋଷ୍ଠୀ କନ୍ଦଳ ହେଲା । ପରସ୍ପର ମଧ୍ୟରେ ଏହି ମାମଲାର ସମାଧାନ ହୋଇପାରିନଥିବାରୁ ଏଫଆଇଆର ରୁଜୁ କରାଗଲା । ଗାଁରେ ଦୁଇ ଦୁଇ ଥଣ ପଂଚାୟତ ବସିଲା ପରେ ମଧ୍ୟ ଫଇସଲା ହୋଇପାରିନଥିଲା । ସେଥିପାଇଁ ଲୋକମାନେ ବାଧ୍ୟ ହୋଇ ଥାନାର ମୁହଁ ଦେଖିଥିଲେ । ସେବେଠାରୁ ଗାଁରେ ଶାନ୍ତି ଓ ଭାଇଚାରା ସମାପ୍ତ ହୋଇଗଲା ।