କନକ ବ୍ୟୁରୋ : ପ୍ରବାସୀ ଶ୍ରମିକଙ୍କୁ ମହାରାଷ୍ଟ ନେବାକୁ ଆସିଥିବା ବସକୁ ଅଟକ ରଖିଲେ ଗ୍ରାମବାସୀ । ସୂଚନା ଅନୁସାରେ ଏକ କାରଖାନାରେ କାମ ଯୋଗାଇ ଦେବାକୁ କହି ଶ୍ରମିକଙ୍କୁ ନେବା ପାଇଁ ବସ୍ଟି ଆସିଥିବାବେଳେ ଅଟକ ରଖିଛନ୍ତି ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ହରିପୁର ଗ୍ରାମର ୨୦ ପିଲାଙ୍କୁ ଏକ ଘରୋଇ କମ୍ପାନୀର କାମ ଯୋଗାଇ ଦେବାକୁ କହି ସେମାନଙ୍କୁ ନେବାକୁ ଆସିଥିଲା ବସ୍ ।
ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀମାନେ ବସ୍ ଡ୍ରାଇଭର ଓ ହେଲପରକୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି । ଖଇରା ପୋଲିସ ବସ୍ ସହିତ ୪ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । ମହାରାଷ୍ଟ୍ରରେ କରୋନା ସ୍ଥିିତି ଭୟଙ୍କର ହୋଇଛି । ପରିସ୍ଥିତିର ମୁକାବିଲା ପାଇଁ ସେଠାରେ କର୍ଫ୍ୟୁ ଭଳି କଡା କଟକକଣା ଲାଗୁ ହୋଇଛି । ସଂକ୍ରମଣ ବଢ଼ୁଥିବାରୁ ସେଠାରୁ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବାରେ ଲାଗିଛନ୍ତି ।
ଫଳରେ ପ୍ରବାସୀ ଶ୍ରମିକଙ୍କ ଉପରେ ନିର୍ଭର କରି ଚଳୁଥିବା କାରଖାନାଗୁଡିକ ବର୍ତମାନ ସମସ୍ୟାର ସମ୍ମୁଖୀନ ହେଲେଣି । ଏହାର ମୁକାବିଲା ପାଇଁ ପ୍ରବାସୀ ଶ୍ରମିକଙ୍କୁ ପ୍ରଲୋଭିତ କରି ନେବା ପାଇଁ ଏଭଳି ଉଦ୍ୟମ କରାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।