ସ୍କୁଲ ପାଇଁ ଶହଶହ ଗଛ କାଟି ଦେଲେ ଗ୍ରାମବାସୀ । ସୁନ୍ଦରଗଡ ଲେଫ୍ରିପଡା ଥାନା ଡୁମାବାହାଲ ଗାଁରୁ ଆସିଛି ଏମିତି ଖବର : ଏକଲବ୍ୟ ଆବାସିକ ସ୍କୁଲ ପ୍ରତିଷ୍ଠା କରିବା ପାଇଁ ୧୫ ଏକର ଗୋଚର ଜମିରେ କଟା ହେଲା ପ୍ରାୟ ଦେଢ ଶହ ଗଛ

170

କନକ ବ୍ୟୁରୋ : ପ୍ରତିବର୍ଷ ବନବିଭାଗ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହଜାର ବୃକ୍ଷରୋପଣ କରାଯାଉଛି । ତା ସହିତ ବୃକ୍ଷ ରୋପଣ ପାଇଁ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । ତେବେ ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ଡୁମାବାହାଲ ଗାଁ ଲୋକଙ୍କ କିନ୍ତୁ ଅଜବ ନୀତି । ନିଜ ଗାଁରେ ସ୍କୁଲ ପ୍ରତିଷ୍ଠା କରାଇବା ପାଇଁ ଗୋଚର ଜମିର ଶହଶହ ମୂଲ୍ୟବାନ ଗଛ କାଟି ପକାଇଲେ ଲୋକେ । ଗୋଟିଏ କି ଦୁଇଟି ନୁହଁ ଭୁଇଁରେ ଟଳି ପଡିଛନ୍ତି ଶହଶହ ମୂଲ୍ୟବାନ ଗଛ ।

ଶାଳ , ମହୁଲ, ଚାର ଏବଂ ବର ଛୋଟରୁ ନେଇ ବିଶାଳକାୟ ଗଛ ଟଳିପଡିଛି । ତେବେ ଗଛ କିଏ କାଟିଲା ତାହା ତଦନ୍ତ ସାପେକ୍ଷ । ହେଲେ ଗଛ କାଟିବାର କାରଣଟି ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଲେଫ୍ରିପଡା ତହସିଲଦାରଙ୍କୁ ଜମି ଚିହ୍ନଟ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । ତହସିଲଦାର ମଧ୍ୟ ଦୁଇଟି ଜାଗା ଛଟେନପାଲି ଓ ଡୁମାବାହାଲ ଗାଁରେ ଚିହ୍ନଟ କରି ରିପୋର୍ଟ ଦେଇଥିଲେ ।

ଆଉ ଏହି ଚିହ୍ନଟ ଜମିକୁ ନୀରିକ୍ଷଣ ପାଇଁ ଉପଜିଲ୍ଲପାଳ ଆସିବାର ଥିଲା । ଡୁମାବାହଲ ଗ୍ରାମବାସୀ ଏହା ଜାଣିଲା ପରେ ଗତ ଶନିବାର ଦିନ ବଡି ଭୋରରୁ ଚିହ୍ନଟ ହୋଇଥିବା ପାଖାପାଖି ୧୫ ଏକର ଗୋଚର ଜମିରେ ୧୪୫ଟି ମୂଲ୍ୟବାନ ଗଛ କାଟି ପଦା କରିଦେଇଥିବା ଜଣାପଡିଛି । ଗ୍ରାମବାସୀଙ୍କ ଅନୁସାରେ ଏହି ଜମିରେ ଅନେକ ଗୁଡାଏ ମୂଲ୍ୟବାନ ଗଛ ଥିବାରୁ ଏହାକୁ ଦେଖି କାଳେ ପ୍ରଶାସନିକ ଅଧିକାରୀ ଅନୁମତି ପ୍ରଦାନ କରିବେ ନାହିଁ ।

ତେଣୁ ଲୋକମାନେ ମିଶି କାଟି ଦେଇଛନ୍ତି ଶହ ଶହ ମୂଳ୍ୟବାନ ଗଛ । ଏହି ଘଟଣା ପଦାକୁ ଆସିଲା ପରେ ଉଭୟ ବନ ବିଭାଗ ଏବଂ ରାଜସ୍ୱ ବିଭାଗ ବର୍ତମାନ କଣ କରାଯିବ ସେନେଇ ଚିନ୍ତା ରେ ଥିବା ବେଳେ ଗାଁ ଲୋକେ କହୁଛନ୍ତି ଏହି ଗଛ ଗୁଡିକୁ କିଏ କାଟିଲା ସେମାନଙ୍କୁ ଜଣା ନାହିଁ । ତେବେ ଉପଜିଲ୍ଲାପାଳ କହିଛନ୍ତି ସ୍କୁଲ ହେବ କି ନାହିଁ ତାହା ପର କଥା କିନ୍ତୁ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ।