ବିଦ୍ୟୁତ ତାରକୁ ଭରସି ଭରା ନଈ ପାରି ହେଉଛନ୍ତି ଗାଁ ଲୋକେ । ବାଜିରେ ଲାଗୁଛି ଜୀବନ, ପ୍ରହସନ ପାଲଟିଛି ସରକାରୀ ଯୋଜନା ।

102

କନକ ବ୍ୟୁରୋ : ଗାଁ ଗାଁକୁ ରାସ୍ତା ହେବ, ସବୁଠି ଗମନାଗମନ ସୁବିଧା ମିଳିବ, ଏଥିପାଇଁ ହୋଇଛି ପ୍ରଧାନମନ୍ତ୍ରୀ ସଡକ ଯୋଜନା, ବିଜୁ ସେତୁ ଯୋଜନା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରିଛନ୍ତି ମାଳମାଳ ଯୋଜନା । ରାସ୍ତା ଓ ପୋଲ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି, ହେଲେ ରାଜ୍ୟରେ ଆଜି ବି ଏମିତି ଗାଁ ରହିଛି ଯେଉଁଠି ସରକାରୀ ଯୋଜନା କେବଳ ପ୍ରହସନ ପାଲଟିଛି । ଆଜି ବି ଲୋକଙ୍କ ଜୀବନ ଓ ଜୀବିକା ମଝିରେ ନଦୀ ପ୍ରତିବନ୍ଧକ ସାଜିଛି ।

ବର୍ଷା ହେଲା, ନଦୀରେ ଜଳସ୍ତର ବଢିଲା, ପ୍ରତିବର୍ଷ ଭଳି ଏ ବର୍ଷ ବି ଗ୍ରାମବାସୀଙ୍କ ପାଇଁ ବିପଦ ବଢିଲା । ସେଇ ବିଦ୍ୟୁତ ତାର ଭରସାରେ ନଦୀ ପାରି ହେବାକୁ ପଡୁଛି । କାରଣ ଗାଁରେ ଜୀବନ ଆଉ ଗଦାପାରି ନଦୀ ଆରପଟେ ଜୀବିକା । ନଦୀ ସ୍ରୋତ ଭୟରେ ୪ ମାସ ବାହ୍ୟଜଗତ ଠାରୁ ବିଚ୍ଛିନ୍ନ ହୋଇ ଗ୍ରାମବାସୀଙ୍କ ପାଇଁ ସମ୍ଭବ ନୁହେଁ । ତେଣୁ ଜୀବନକୁ ବିପନ୍ନ କରି ଏକ ବିଦ୍ୟୁତ ତାର ସାହାଯ୍ୟରେ ନଦୀ ପାର ହେଉଛନ୍ତି ରାଜଖମା ଗାଁ ଲୋକେ ।

ଗାଁର ବିକାଶ ହେଲେ ଦେଶର ବିକାଶ ହେବ । ଏମିତି ନାରା ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ରାଜଖମା ଭଳି ଉପାନ୍ତ ଗାଁ ପାଇଁ ସବୁ ସରକାରୀ ଯୋଜନା ସବୁ ପରିହାସ ପାଲଟିଛି । ନଦୀ ଉପରେ ପୋଲଟିଏ ନଥିବାରୁ ପ୍ରତିବର୍ଷ ବର୍ଷା ଦିନେ ଲୋକେ ପାଣିରେ ପଶି ଯିବା ଆସିବା କରୁଛନ୍ତି ।