ଗାଁ ଲୋକଙ୍କ କବଜାରେ ଛେଳିଚୋର । ଛେଳିଙ୍କ ମୁହଁରେ ସେଲୋ ଟେପ୍ ମାରି ଚୋରି କରୁଥିବା ୨ ଜଣଙ୍କୁ ଧରି ନିଆଳୀ ପୁଲିସର ଜିମା ଦେଲେ ଗ୍ରାମବାସୀ ।

207

କନକ ବ୍ୟୁରୋ : ନିଆଳୀ ପୁଲିସ ପଞ୍ଝାରେ ଛେଳିଚୋର । ଗତ କିଛି ଦିନ ହେଲା ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କଟକ ସୀମାନ୍ତବର୍ତି ନିଆଳୀ, ଚାରିଛକ, ନିମାପଡ଼ା, ନାଉଗାଁ, କାକଟପୁର ଓ ବାଲିପାଟଣା ଅଂଚଳରେ ବେଧଡ଼କ ଚାଲିଛି ଛେଳି ଚୋରି । ଛେଳି ଚାଷୀଙ୍କୁ ରାତିରେ ତାଲା ପକାଇ ଛେଳିଙ୍କ ମୁହଁରେ ସେଲୋଟେପ୍ ମାରି ରାତି ଅଧିଆ ଗୁହାଳରୁ ଚୋରି କରୁଥିବା ଅଭିଯୋଗ ହୋଇଛି । ଏହା ପରେ ନିଆଳି ପୋଲିସ ଛେଳୀ ଚୋରଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଛି ।

ଗତକାଲି ବିଳମ୍ବିତ ରାତିରେ ନାଟି ଗାଁର ତୋଫାନ ପରିଡ଼ାଙ୍କ ୬ଟି ଛେଳି ଓ ୬ଟି ମେଣ୍ଢା ଚୋରି ହୋଇଛି । ସେହିପରି ସିଠାଳ ଗାଁ ରମାକାନ୍ତ ସ୍ୱାଇଁଙ୍କ ୧୦ଟି ଛେଳି ଓ ମାଳିକସାହି ସୁମିତ୍ରା ମଲ୍ଲିକଙ୍କ ୧୦ଟି ଛେଳି ଚୋରି ହୋଇଛି । ଛେଳି ଚୋରି ପାଇଁ ଆସିଥିବା ୨ ଜଣ ଚୋରଙ୍କୁ ୨ଟି ବାଇକ ଓ ୨ଟି ମୋବାଇଲ ସହ ପୋଲିସରେ ଜିମା ଦେଇଛନ୍ତି ଗ୍ରାମବାସୀ ।

ନିଆଳି ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରି ୨ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ଛେଳି ଚାଷୀ । ଅନ୍ୟପଟେ ଉଦ୍ଧାର ହୋଇଥିବା ଛେଳି ମେଣ୍ଢାଙ୍କୁ ଚିହ୍ନଟ କରିବା ପାଇଁ ଥାନା ସମ୍ମୁଖରେ ଭିଡ଼ ଜମିଛି ।