ପ୍ରଶାସନ ଶୁଣିଲାନି, କିନ୍ତୁ ଚୁପ ବସିଲେନି ଗ୍ରାମବାସୀ । ଏକାଠି ହେଲେ ଗାଁର ପୁରୁଷ ଓ ମହିଳା, ହାତରେ କୋଡି, କୋଦାଳ ଧରି ତିଆରି କଲେ ଗାଁକୁ ରାସ୍ତା ।

268

କନକ ବ୍ୟୁରୋ : ଏକାଠି ହେଲେ ବିକାଶ କଲେ । ଗାଁ ଲୋକେ ଏକାଠି ହୋଇ ତିଆରି କଲେ ରାସ୍ତା । ନିଜ ଉଦ୍ୟମରେ ଗାଁକୁ ରାସ୍ତା ତିଆରି କଲେ ଗାଁ ଲୋକ । ପୁରୁଷ ମହିଳା ସମସ୍ତେ ମିଶି ଗାଁ ରାସ୍ତା କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବାରିମୂଳ ଗାଁରୁ ଆସିଛି ଏହି ପ୍ରେରଣଦାୟୀ ଖବର ।

ହାତରେ କୋଡି, କୋଦାଳ ଧରି କିଏ ମାଟି ହାଣୁଛି, ତ ପୁଣି କିଏ ମୁଣ୍ଡରେ ମାଟି ଟୋକେଇ ନେଇ ରାସ୍ତାରେ ପକାଉଛି । ଆଉ କିଏ ରାସ୍ତାକୁ କରୁଛି ସମତୁଲ । ଏଠି ଗ୍ରାମବାସୀ ମିଳିତ ଭାବେ ନିର୍ମାଣ କରୁଛନ୍ତି ଗାଁକୁ ରାସ୍ତା । କେବଳ ଗାଁର ପୁରୁଷ ଲୋକ ହିଁ ନୁହଁନ୍ତି, ମହିଳାମାନେ ଲାଗିପଡିଛନ୍ତି ଗାଁ ରାସ୍ତା ନିର୍ମାଣରେ । ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରି କିଛି ଫଳ ନମିଳିବାରୁ କିଛି ଏପରି ଉଦ୍ୟମ ଆରମ୍ଭ କରିଛନ୍ତି ଗ୍ରାମବାସୀ ।

ବିଦ୍ୟାଳୟ, ଅଙ୍ଗନୱାଡି ହେଉ କି ଅବା କଲେଜ୍ ଯିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଜଙ୍ଗଲ ବାଟ ଦେଇ ଯିବାକୁ ପଡେ । ଆଉ ବର୍ଷା ହେଲେ ପାଠ ପଢାରେ ଡୋରି ପଡେ । ପୁରୀ ଜିଲ୍ଲା ନିମାପଡା ବ୍ଲକ ବାରିମୂଳ ଗାଁରେ ଭଲ ରାସ୍ତା ଟିଏ ପାଇଁ ଅନେକ ଥର ପ୍ରଶାସନ ଆଗରେ ଗୁହାରି କରିଥିଲେ ବି କିଛି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପ୍ରତ୍ୟେକ ଗାଁକୁ ପକ୍କା ରାସ୍ତା ଯୋଗାଇ ଦେବାକୁ କୁହାଯାଇଥିବାବେଳେ, ବାରିମୂଳ ଗାଁରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ବାରମ୍ବାର ଗୁହାରି କରିବା ପରେ ପ୍ରଶାସନ ନ ଶୁଣିବାରୁ ଏବେ ନିଜ ଗାଁ ରାସ୍ତା ନିଜେ କରିଛନ୍ତି ଗ୍ରାମବାସୀ ।