ପ୍ରଶାସନର ପାରିବା ପଣିଆକୁ ଧିକ୍ । ବାରମ୍ବାର ନିବେଦନ ପରେ ବି ଶୁଣିଲେନି ସରକାର, ନିଜେ ଚାନ୍ଦା କରି ରାସ୍ତା ଓ ପୋଲ କଲେ ଗ୍ରାମବାସୀ ।

94

କନକ ବ୍ୟୁରୋ : ବାରମ୍ବାର ଦାବି ସତ୍ୱେ ଗ୍ରାମବାସୀଙ୍କ ଦୁଃଖ ଶୁଣିଲାନି ପ୍ରଶାସନ । ଫଳରେ ନିଜେ ଚାନ୍ଦା ଆଦାୟ କରି ଗାଁକୁ ରାସ୍ତା ତିଆରି କଲେ ତିନି ଖଣ୍ଡ ଗ୍ରାମବାସୀ । ଗାଁ ଲୋକ ତିଆରି କରିଥିବା ରାସ୍ତା ଓ ଅସ୍ଥାୟୀ ପୋଲ, ସରକାରୀ ଯୋଜନାକୁ ଧିକାର କରୁଛି ।

ମାଟି କାଦୁଅ ରାସ୍ତା । ପୁଣି ତା’ ମଝିରେ ନାଳ । ବର୍ଷା ହେଲେ ରାସ୍ତାରେ ଯାତାୟାତ ଠପ୍ ହୋଇଯାଏ । ଏ ଘଟଣା ହେଉଛି ରାୟଗଡ଼ା ସଦର ବ୍ଲକ୍ ପୋଡ଼ମରା ଗାଁର । ପଞ୍ଚାୟତ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଗାଁରେ ଭଲ ରାସ୍ତାଟିଏ ନଥିଲା । ରାସ୍ତା କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ନାହିଁ । ତେଣୁ ଗ୍ରାମବାସୀ ନିଜ ଉଦ୍ୟମରେ ରାସ୍ତା ଓ ନାଳରେ ଅସ୍ଥାୟୀ ପୋଲ କରିଛନ୍ତି ।

ଏହି ରାସ୍ତା ଉପରେ କେବଳ ପୋଡ଼ମରା ନୁହେଁ ଆଖପାଖର ୫ଟି ଗାଁ ମିର୍ଦ୍ଧିଗୁଧଡ଼ା, ଚମ୍ପିକୋଟା, ଗୁଂଟା ଓ ରେଲିକଣା ନିର୍ଭରଶୀଳ । ଭଲ ରାସ୍ତାଟିଏ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ଓ ସ୍ଥାନୀୟ ରାଜନେତାଙ୍କୁ ଗୁହାରି କରିଛନ୍ତି । କେହି ନଶୁଣିବାରୁ ୩ ଖଣ୍ଡ ଗାଁର ଲୋକ ଚାନ୍ଦା ଆଦାୟ କରି ନାଳ ଉପରେ ଏକ ଅସ୍ଥାୟୀ ପୋଲ ତିଆରି କରିଛନ୍ତି । ଏହାସହ ଅଦରକାରୀ ହୋଇ ପଡି ରହିଥିବା ହ୍ୟୁମ୍ ପାଇପ୍ ସଂଗ୍ରହ କରି ତା ଉପରେ ମାଟି ପଥର ପକାଇ ରାସ୍ତାଟିଏ ମଧ୍ୟ କରିଛନ୍ତି । ସରକାର ଗାଁ ବିକାଶର କଥା କହୁଥିବା ବେଳେ ଗ୍ରାମବାସୀ ନିଜ ଉଦ୍ୟମରେ ରାସ୍ତା ନିର୍ମାଣ କରିବା ଅତ୍ୟନ୍ତ ଦୁଃର୍ଭାଗ୍ୟର କଥା ବୋଲି ମତ ପ୍ରକାଶ ପାଇଛି ।