କନକ ବ୍ୟୁରୋ : ରାସ୍ତା କଲେନି ପ୍ରଶାସନ, ନିଜ ଗାଁ ରାସ୍ତାକୁ ନିଜେ ସଜାଡିଲେ ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀର ଦଡକି ପଂଚାୟତର ବେଣାକେରା ଠାରୁ ଟ୍ରସ୍କିପଦର ପର୍ଯ୍ୟନ୍ତ ପ୍ରାୟ ୪ କିଲୋମିଟର ରାସ୍ତା ମରାମତି କରିଛନ୍ତି ଗ୍ରାମବାସୀ । ମହିଳାଙ୍କ ଠାରୁ ପିଲା ସମସ୍ତେ କୋଡି କୋଦାଳ ଧରି ମାଟି ପକାଇ ରାସ୍ତା କରିଛନ୍ତି । ଆଉ ମାକୁ ସମ୍ମାନ ଗାଁକୁ ରାସ୍ତାର ନାରା ଦେଉଥିବା ସରକାରଙ୍କୁ କାଠଗଡାରେ ଠିଆ କରିଛନ୍ତି ।
ମହିଳା, ପୁରୁଷ, ଛୋଟ ଛୋଟ ପିଲା ସମସ୍ତେ ଲାଗିଛନ୍ତି ରାସ୍ତା କାମରେ । କିଏ ମାଟି ହାଣୁଛନ୍ତି ତ ଆଉ କିଏ ମାଟି ବୋହି ଆଣି ଖାଲଖମା ରାସ୍ତାକୁ ସମତୁଲ କରୁଛନ୍ତି । ଏହି ଦୃଶ୍ୟ କୌଣସି ଯୋଜନାରେ ହେଉଥିବା ରାସ୍ତା କାମର ନୁହଁ, କି ଏମାନେ ଶ୍ରମିକ ନୁହଁନ୍ତି । ଏମାନେ ନିଜ ଶ୍ରମରେ ନିଜ ଗାଁ ରାସ୍ତା ମରାମତି କରୁଛନ୍ତି । ଫୁଲବାଣୀ ବ୍ଲକ ଦଡକି ପଂଚାୟତର ବେଣାକେରା ଗାଁ ଠାରୁ ଟ୍ରସ୍କିପଦର ପର୍ଯ୍ୟନ୍ତ ୪ କିଲୋମିଟର ଲମ୍ବା ରାସ୍ତା ମରାମତି କରିଛନ୍ତି ଲୋକେ ।
ଏହି ରାସ୍ତା ଦେଇ ଗ୍ରାମବାସୀ ଫୁଲବାଣୀ ସହରକୁ ଯିବା ଆସିବା କରନ୍ତି । ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ପାଠପଢିବାକୁ ଯାଆନ୍ତି । ବର୍ଷା ଦିନେ ମାଟି ରାସ୍ତାର ଅବସ୍ଥା ଶୋଚନୀୟ ହୋଇଯାଏ । ଚଳପ୍ରଚଳ କଷ୍ଟକର ହୋଇପଡେ । ଗାଁକୁ ଆମ୍ବୁଲାନ୍ସ କି କୌଣସି ଗାଡି ଯିବା ଆସିବା କରିପାରେ ନାହିଁ । ତେଣୁ ମାଟି ରାସ୍ତାର ଉନ୍ନତିକରଣ ପାଇଁ ସରପଂଚଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି ଗ୍ରାମବାସୀ । ହେଲେ କେହି କିଛି ପଦକ୍ଷେପ ନନେବାରୁ ଗ୍ରାମବାସୀ ନିଜ ଉଦ୍ୟମରେ ରାସ୍ତା ମରାମତି କରିଛନ୍ତି ।
ସ୍ୱାଧିନତାର ଦୀର୍ଘ ବର୍ଷ ପରେ କନ୍ଧମାଳ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୯ କିଲୋମିଟର ଦୂରରେ ଥିବା ରାସ୍ତା ଆଜି ଯାଏଁ କଂକ୍ରଟି ହୋଇ ନପାରିବା, ଦୁର୍ଭାଗ୍ୟର କଥା । ଆଉ ଏହା ପ୍ରଶାସନର ପାରିବାପଣିଆ ଉପରେ ଏବେ ପ୍ରଶ୍ନ ଉଠାଇଛି ।