ନେଟୱର୍କ ନାହିଁ ତ ଭୋଟ୍ ନାହିଁ: ଦେବଗଡ ଓ କନ୍ଧମାଳର ୬ଟି ପଂଚାୟତରେ ନିର୍ବାଚନ ବର୍ଜନ କଲେ ଗ୍ରାମବାସୀ

89

କନକ ବ୍ୟୁରୋ: ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନର ସରଗରମ ଭିତରେ ଦେବଗଡରୁ ଆସିଛି ରୋଚକ ଖବର । ମୋବାଇଲ ନେଟୱାର୍କ ଦାବିରେ ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକର ୫ଟି ପଂଚାୟତ ନିର୍ବାଚନରୁ ଓହରି ଯାଇଛନ୍ତି । ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ପାରପୋଷି ଏବଂ ଝାରମୁଣ୍ଡା ପଂଚାୟତରୁ ଜଣେ ବି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି । ଏପରିକି କାଳେ କିଏ ନାମାଙ୍କନ ଦାଖଲ କରିଦେବ, ସେହି ଭୟରେ ପଂଚାୟତ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ସ୍ଥାନୀୟ ବାସିନ୍ଦା । ଜିଲ୍ଲାପାଳ ଯାଇ ବୁଝାସୁଝା କରିବା ସତ୍ୱେ ଜିଦରୁ ଓହରିନାହାନ୍ତି ଗାଁ ଲୋକେ । ଯେପର୍ଯ୍ୟନ୍ତ ଅଂଚଳରେ ମୋବାଇଲ ଟାୱାର ନହୋଇଛି ସେଯାଏଁ ତ୍ରିସ୍ତରୀୟ ପଂଚାୟତରେ ଭାଗ ନେବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ।

କନ୍ଧମାଳରୁ ମଧ୍ୟ ଆସିଛି ସମାନ ଖବର । ପଂଚାୟତରେ ମୋବାଇଲ ନେଟୱାର୍କ ଓ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ଦାବିରେ ଭୋଟ ବର୍ଜନ କରିଛନ୍ତି ଖଜୁରୀପଡା ବ୍ଲକର ଆଡାସିପଡା ପଂଚାୟତବାସୀ । ପଂଚାୟତବାସୀ ଏକତା ଦେଖାଇ କୌଣସି ପଦବୀ ପାଇଁ କେହି ନାମାଙ୍କନ ପତ୍ର ଦାଖଲ କରି ନାହାନ୍ତି । ପୂର୍ବରୁ ଦାବି ସଂପର୍କରେ ଜିଲ୍ଲାପାଳଙ୍କୁ ଜଣାଇଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇନଥିବାରୁ ନିର୍ବାଚନରୁ ଓହରିଥିବା କହିଛନ୍ତି ଆଡାସିପଡା ପଂଚାୟତ ବାସିନ୍ଦା । ସେପଟେ ଭୋଟ ବର୍ଜନ ନେଇ ତାଙ୍କ ପାଖରେ କିଛି ଖବର ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ।

ଭାରତ ଏବେ ଡିଜିଟାଲ କ୍ରାନ୍ତି ଦିଗରେ ଆଗଉଥିବା ବେଳେ ନିଜ ଅଂଚଳରେ ମୋବାଇଲ ନେଟୱାର୍କ ସ୍ଥାପନ ଦାବିରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରୁ ୨ଟି ଜିଲ୍ଲାର ୬ଟି ପଂଚାୟତର ବାସିନ୍ଦା ଓହରିଯାଇଛନ୍ତି । ଏସବୁ ପଂଚାୟତରେ ନିର୍ବାଚନରେ ସହଯୋଗ ନକରି ଜନସାଧରଣ ଏକ କଡା ବାର୍ତା ଦେଇଛନ୍ତି. ଆଗ ବିକାଶ ପରେ ଭୋଟ୍ ।