ସନ୍ଦେହ ମାରିଦେଲା ମାନବିକାତା: ବାଲେଶ୍ୱର ମଝିଖଣ୍ଡି ଗାଁରେ ପଶିପାରିଲାନି ମୃତଦେହ; କରୋନା ସନ୍ଦେହ କରି ଠେଙ୍ଗାବାଡ଼ି ଧରି ବିରୋଧ କଲେ ୫ଖଣ୍ଡ ଗାଁ ଲୋକ

ବିନା ଶେଷକୃତ୍ୟରେ ଫେରିଲା ଶବ

201

କନକ ବ୍ୟୁରୋ: କରୋନା ସଂଦେହ ଭାଙ୍ଗି ଦେଉଛି ସଂପର୍କ । ହଜିଯାଉଛି ମାନବିକତା । ଏମିତି ଏକ ଖବର ଆସିଛି ବାଲେଶ୍ୱର ଜିଲ୍ଲାରୁ । ସିମୁଳିଆ ଥାନା ଖେରକୁଣା ପଂଚାୟତ ମଝିଖଣ୍ଡି ଗାଁରେ କରୋନା ସଂଦେହରେ ଅନ୍ତିମ ସକ୍ରାର କରିବାକୁ ଦେଲେନାହିଁ ଗ୍ରାମବାସୀ । ଶେଷରେ ବିନା ଶେଷକୃତ୍ୟରେ ଫେରି ଯାଇଥିଲା ଶବ । ମଝି ଖଣ୍ଡି ଗ୍ରାମର ରାମ ମହାନ୍ତିଙ୍କ ପୁଅ ବଳିଆ ମହାନ୍ତି କୌଣସି ରୋଗରେ ପୀଡ଼ିତ ହୋଇ ଅହମ୍ମଦାବାଦରେ ଚିକିତ୍ସିତ ହେଉଥିଲେ । ପରିବାର ଲୋକ ତାଙ୍କୁ ଆମ୍ବୁଲାନ୍ସରେ ଓଡ଼ିଶାକୁ ଫେରାଇ ଆଣୁଥିଲେ । ବାଟରେ ଆସୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକ ତାଙ୍କର ଶେଷକୃତ୍ୟ ପାଇଁ ଗାଁକୁ ନେଉଥିବା ବେଳେ କରୋନା ସଂଦେହ କରି ଏହାକୁ ବିରୋଧ କରିଥିଲେ ଆଖପାଖ ଗାଁର ଲୋକ । ଆଜି ସଂଧ୍ୟାରେ ପ୍ରାୟ ୫ ଖଣ୍ଡ ଗାଁ ଲୋକ ଏକାଠି ହୋଇ ଠେଙ୍ଗାବାଡି ଧରି ଜଗି ରହିଥିବା ଦେଖିବାକୁ ମିଳିଥିଲା । ଶେଷରେ ବିନା ଶେଷକୃତ୍ୟରେ ଶବକୁ ବାଲେଶ୍ୱର ଫେରାଇ ନେଇଥିଲା ପ୍ରଶାସନ ।

ଅନ୍ୟପଟେ, ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା ଘଟଣାରେ ସଫେଇ ରହିଛି ଜଗତସିଂପୁର ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ତେଲେଙ୍ଗାନାରୁ ଫେରିଥିବା ଦମ୍ପତିଙ୍କୁ ଭୁବନେଶ୍ୱରରୁ ଜଗତସିଂହପୁର ଅଣାଯାଇଥିଲା । ପରେ ଏସ୍ବିଏମ୍ କଲେଜରେ ହୋଇଥିବା ଅସ୍ଥାୟୀ ମେଡ଼ିକାଲ କେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ଉଭୟଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା । ଦମ୍ପତିଙ୍କ କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା । ତେବେ ଅଚାନକ୍ ହୃତଘାତ କାରଣରୁ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା ବୋଲି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏହା ପରେ ମୃତବ୍ୟକ୍ତିଙ୍କ ପତ୍ନୀ ହାତକୁ କାଟି ଦେବା ସହ ବ୍ଲେଡ୍ ଏବଂ ଛୁଂଚି ସାହାର୍ଯ୍ୟରେ ନର୍ସମାନଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ପ୍ରଶାସନ କହିଛି । ଆଉ ପରେ ମହିଳା ଜଣକ ବେକରେ କପଡ଼ା ଦେଇ ଆତ୍ମହତ୍ୟା କରିଥିଲା । ଉଭୟଙ୍କ କରୋନା ପରୀକ୍ଷା ପରେ ରିପୋର୍ଟ ନେଗେଟିଭ୍ ଆସିଥିଲେ ସୁଦ୍ଧା ମୃତକଙ୍କ ସମ୍ପର୍କୀମାନେ ଅନ୍ତିମ ସଂସ୍କାର ପାଇଁ ରାଜି ହୋଇନଥିଲେ । ଫଳରେ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ଆଇସିଏମ୍ଆର ଗାଇଡ୍ଲାଇନ୍ ଭିତରେ ଅନ୍ତିମ ସଂସ୍କାର କରାଯାଇଥିଲା ବୋଲି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।