ୱାରେଂଟିକୁ ଗିରଫ କରିବାକୁ ଯାଇଥିବା ବେଳେ ପାରାଦୀପଗଡରେ ତୁମୁଳ କାଣ୍ଡ : ପୁଲିସକୁ ଆକ୍ରମଣ, ମାଡମାରି ଭ୍ୟାନରୁ ଆସାମୀକୁ ଛଡେଇ ନେଲେ ଗାଁ ଲୋକ

ଜଣେ ପୁଲିସ ଅଧିକାରୀ ଆହତ; ଗାଁ ସିଲ୍, ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ

82

କନକ ବ୍ୟୁରୋ : ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲା ପୁଲିସ । ପାରାଦୀପଗଡ ଗ୍ରାମ ଦଳେଇ ସାହିରେ ଜଣେ ୱାରେଂଟିକୁ ଧରିବାକୁ ଯାଇଥିବା ଅଭୟଚାନ୍ଦପୁର ପୁଲିସ ଉପରେ ଆକ୍ରମଣ କରିଛନ୍ତି ଗ୍ରାମବାସୀ । ଏହାପରେ ଥାନା ଗାଡିରୁ ୱାରେଂଟିକୁ ଗାଁ ଲୋକେ ଟାଣି ନେଇଯାଇଛନ୍ତି । ଉତ୍ୟକ୍ତ ଗାଁ ଲୋକଙ୍କ ଆକ୍ରମଣରେ ଜଣେ ଏସଆଇ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ପାରାଦୀପ ଗଡ ଦଳେଇ ସାହିର ତ୍ରିନାଥ ଦଳେଇଙ୍କ ନାଁରେ ଅଭୟଚାନ୍ଦପୁର ଥାନାରେ ଏକ ମାମଲା ରହିଥିଲା । ଦୀର୍ଘ ଦିନ ହେଲା ସେ ଫେରାର ଥିଲା ।

ତେବେ ତ୍ରିନାଥ ଗାଁକୁ ଫେରିଥିବା ଖବର ପାଇ ପୁଲିସ ଗାଁରେ ପହଂଚି କ୍ଲବ ନିକଟରୁ ତାକୁ ଗିରଫ କରି ଗାଡିରେ ବସାଇଥିଲେ । ହେଲେ ଏହି ସମୟରେ ହଠାତ୍ ଗାଁର କିଛି ଯୁବକ ପୁଲିସ ଉପରେ ଅତିର୍କିତ ଆକ୍ରମଣ କରି ଆସାମୀ ତ୍ରିନାଥକୁ ଛଡାଇ ନେଇଛନ୍ତି । ଗାଁ ଲୋକଙ୍କ ଆକ୍ରମଣରେ ଏସଆଇ ଆଶୁତୋଷ ହୋତା ଆହତ ହୋଇ ଅଠକବାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି । ଖବର ପାଇ ପାରାଦୀପ ଏସପିଙ୍କ ସହ ପାରାଦୀପ ଥାନା ଆଇଆଇସିଙ୍କ ସହ ଏକ ପ୍ଲାଟୁନ ଫୋର୍ସ ଗାଁରେ ପହଂଚି ପୁରା ଗାଁକୁ ସିଲ କରିଛନ୍ତି । ସେପଟେ ଆଇନକୁ ହାତକୁ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାରାଦୀପ ଏସପି କହିଛନ୍ତି ।