ସାଂଘାତିକ ହେଉଛି ପିଲା ଚୋରି ଗୁଜବ: ରାଜ୍ୟର ବିଭିନ୍ନ ସ୍ଥାନରେ ପିଲା ଚୋରି ସନ୍ଦେହରେ ଲୋକଙ୍କୁ ନିସ୍ତୁକ ମାଡ, ସ୍ପଷ୍ଟୀକରଣ ପରେ ବି ଥମୁନି ଆକ୍ରମଣ

129

କନକ ବ୍ୟୁରୋ: ଦିନକୁ ଦିନ ସାଂଘାତିକ ରୂପ ନେଉଛି ପିଲା ଚୋରି ଗୁଜବ । ସୋସିଆଲ୍ ମିଡିଆରେ ଏନେଇ ଗୁଜବ ପ୍ରଚାରିତ ହେବା ପରେ ଲୋକେ ସ୍ଥାନୀୟ ଅଂଚଳରେ ଅଜଣା ବ୍ୟକ୍ତିଙ୍କୁ ଦେଖିବା ମାତ୍ରେ ଆକ୍ରମଣ କରୁଛନ୍ତି । କେନ୍ଦ୍ରାପଡାର ରାଜନଗରରେ ଲୋକେ ଅଜଣା ବ୍ୟକ୍ତିଙ୍କୁ ପିଲା ଚୋରି ସନ୍ଦେହରେ ନିସ୍ତୁକ ମାଡ ମାରିଛନ୍ତି । କେନ୍ଦ୍ରାପଡାର ପ୍ରାୟ ୪ଟି ଗାଁରେ ବାହାର ରାଜ୍ୟର ଲୋକଙ୍କୁ ପିଲାଚୋରି ସନ୍ଦେହରେ ଲୋକେ ମାଡ ମାରିଛନ୍ତି । ତେବେ ପୋଲିସ ଗ୍ରାମବାସୀଙ୍କ କବଳରୁ ଏହି ଲୋକଙ୍କୁ ଉଦ୍ଧାର କରିବା ସହ ସନ୍ଦେହରେ ଅଟକ ରଖିଛି । ରାଜ୍ୟର ଅନ୍ୟ ଅଂଚଳରୁ ବି ଏଭଳି ଖବର ସାମ୍ନାକୁ ଆସିଛି ସଂପୃକ୍ତ ଲୋକମାନେ ହିନ୍ଦିରେ କଥା ହେଉଥିବା ବେଳେ ପିଲାଛୁଆ ନେଇ ଆସିଛନ୍ତି ।

ବାଲେଶ୍ୱର ଜିଲ୍ଲାର ୪ଟି ସ୍ଥାନରେ ଏପରି ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କ ସହ ତିନିଜଣ ଯୁବକ ଏବଂ ଏକ ସଂକୀର୍ତନ ମଣ୍ଡଳୀର ୫ ଜଣ ସଦସ୍ୟ ଲୋକଙ୍କ ଆକ୍ରୋଶ ଶିକାର ହୋଇଛନ୍ତି । ସୋର, ଜଳେଶ୍ୱର, ଖଇରା ଓ ବାହାନଗାରେ ପିଲାଚୋର ସନ୍ଦେହରେ ଲୋକେ ଆଇନକୁ ହାତକୁ ନେଇଛନ୍ତି। ଫଳରେ ଏହିସବୁ ସ୍ଥାନରେ ଦିନତମାମ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ସୋର-ଅନନ୍ତପୁର ରାସ୍ତା ବାଳଙ୍ଗ ଛକରେ ଗତକାଲି କିଛି ଅସାମାଜିକ ବ୍ୟକ୍ତି ପିଲା ଚୋରି ସନ୍ଦେହରେ ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ଉଲଗ୍ନ କରି ନିସ୍ତୁକ ମାଡ଼ ମାରିଛନ୍ତି । ସଂପୃକ୍ତ ମହିଳାଙ୍କ ସାମାନ୍ୟ ମାନସିକ ବିକୃତି ଥିବା ଅନୁମାନ କରାଯାଉଛି। ଅପରାହ୍ନରେ ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ଆମ୍ବଳିଅଠା ପୋଲ ନିକଟରେ ୨ ଜଣ ଅଚିହ୍ନା ଯୁବକ ବୁଲାବୁଲି କରୁଥିବା ଦେଖି ଲୋକେ ତାଙ୍କୁ ପିଲାଚୋର ବୋଲି ସନ୍ଦେହ କରିଥିଲେ। ସମ୍ପୃକ୍ତ ଯୁବକଙ୍କ ଭାଷା ବୁଝି ହେଉ ନ ଥିବାରୁ ବିହାରରୁ ଆସିଥିବା ସନ୍ଦେହ କରି ସେମାନଙ୍କୁ ଘେରିଯାଇ ଉତ୍ତମ ମଧ୍ୟମ ଦେଇଥିଲେ। ଖଇରା ବ୍ଲକରେ ମଧ୍ୟ ଏମିତି ଘଟଣା ଘଟିଛି। ଗତକାଲି ଜଣେ ବ୍ୟକ୍ତି ବେକରେ ପଘା ପକାଇ ଜହ୍ନିଆପଦା ଗ୍ରାମର ନଟବର ନାଥଙ୍କ ଘରକୁ ଯାଇ ଭିକ ମାଗିଥିଲେ। ଭିକରେ ଚାଉଳ ମିଳିବାରୁ ସେ ଅସ୍ୱୀକାର କରି ଇସାରାରେ ଟଙ୍କା ମାଗିବା ଭିକ୍ଷା ଆଣିଥିବା ମହିଳାଙ୍କ ପିଛା କରି ଘର ଭିତରକୁ ଯିବାକୁ ଉଦ୍ୟମ କରିଥିଲେ। ଏପରିକି ମହିଳା ଜଣକ କବାଟ ବନ୍ଦ କରିବା ପରେ ବି ସେ ଖୋଲିବା ଲାଗି କବାଟ ବାଡେଇଥିଲେ। ଗ୍ରାମବାସୀ ତାକୁ ଧରି ତା’ର ନାମ ଓ ଘର ବିଷୟରେ ପଚାରିଥିଲେ ହେଁ ସେ ଭିନ୍ନଭିନ୍ନ ପରିଚୟ ଦେଇଥିଲା। ଫଳରେ ସ୍ଥାନୀୟ ଲୋକେ ତାକୁ ମାଡ଼ ମାରି ବାନ୍ଧି ପକାଇଥିଲେ।

ସେହିପରି ପିଲା ଚୋରି ସଂଦେହରେ ବାହାନଗା ବ୍ଲକରେ ଏକ ସଂକୀର୍ତନ ଦଳ ନାକେଦମ୍ ହୋଇଛନ୍ତି। ଦୁଇଦିନ ତଳେ ପଶ୍ଚିମବଙ୍ଗରୁ ଏକ ୫ ଜଣିଆ ସଂକୀର୍ତନ ଦଳ ସରସତିଆ ଗାଁକୁ କୀର୍ତନ କରିବାକୁ ଆସିଥିଲେ। କୀର୍ତନ ସାରି ରବିବାର ସକାଳେ ସେମାନେ ସରସତିଆ ଗ୍ରାମରୁ ଗୋପାଳପୁରକୁ ବାହାରିଥିଲେ। ତେବେ ବାଜିପୁର ଗ୍ରାମରେ ପହଂଚିବା ପରେ ସେଠାରେ ସ୍ଥାନୀୟ କିଛି ଲୋକ ସେମାନଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ।

କଟକ ସାଲେପୁର ଥାନା ଅନ୍ତର୍ଗତ ନରଦାର ଗରଗରା ଓ କୁକୁଡ଼ାଙ୍ଗ ଗ୍ରାମରେ ଦୁଇ ଜଣ ଯୁବକ ଘର ଘର ବୁଲି ଭିକ୍ଷାବୃତ୍ତି କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ଉପୁଜିଥିଲା। ଗରଗରା ଗାଁରେ ଜଣେ ଯୁବକ ବେକରେ ପାଳଦଉଡ଼ି ପକାଇ ଘର ଘର ବୁଲି ଭିକ୍ଷା କରିବା ସହ ଲୋକମାନଙ୍କୁ ଦଶ କୋଡ଼ିଏ ଟଙ୍କା ପାଇଁ ବାଧ୍ୟ କରୁଥିଲା। ଗ୍ରାମବାସୀ ସନ୍ଦେହରେ ତାକୁ ଏକ ନଡ଼ିଆ ଗଛରେ ବାନ୍ଧି ନିସ୍ତୁକ ମାଡ଼ମାରିଥିଲେ। ସେହିପରି କୁକୁଡ଼ାଙ୍ଗ ଗାଁରେ ଅନ୍ୟ ଜଣେ ଯୁବକ ସମାନ ଢ଼ଙ୍ଗରେ ଏହିଭଳି ଭିକ୍ଷାବୃତ୍ତି କରୁଥିଲା ଅନୁରୂପ ପରିସ୍ଥିତିର ସାମ୍ନା କରିଛନ୍ତି। ସନ୍ଦିଗ୍ଧ ଯୁବକ ବଜବଜ ଶବର (୩୧)ର ଘର ଜଟଣୀ ଥାନା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ମହାଦେବ ଦାସ (୨୬) ଘର ଧର୍ମଶାଳା ଥାନା ଅଧୀନ ଜଲାସୁଦା ମଉଜାରେ ବୋଲି ପୁଲିସ ସୂଚନା ଦେଇଛି। ଉଭୟଙ୍କୁ ଅଟକ ରଖାଯାଇଛି। ବାଙ୍କୀ ଥାନା ଅଂଚଳର ଗୋପାଳପୁର, ରଣପୁର, ହରିରାଜପୁର ଓ ସୁବର୍ଣ୍ଣପୁର ନିକଟରେ ସନ୍ଦେହରେ ସ୍ଥାନୀୟ ଲୋକେ ୩ଜଣଙ୍କୁ ମାଡଧର କରିଥିଲେ। ପୁଲିସ ପହଞ୍ଚି ଉକ୍ତ ଲୋକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ତେବେ ଉକ୍ତ ତିନିଜଣ ମାଡଖାଇଥିବା ଲୋକ ମାନସିକ ବିକୃତ ବୋଲି ସନ୍ଦେହ କରାଯାଉଛି।

ସେପଟେ, ପିଲାଚୋର ସନ୍ଦେହରେ ମାଡ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଆର.ପି. ଶର୍ମା । ଏ ନେଇ ରାଜ୍ୟ ପୋଲିସ ଏକ ଆଡଭାଇଜରି କରିବ ବୋଲି ଡିଜିପି କହିଛନ୍ତି । ଗୁଜବ ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ଏହା ସହ ପିଲାଚୋର ସନ୍ଦେହରେ ନୀରିହ ଲୋକଙ୍କୁ ମାଡ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ ପ୍ରକ୍ରିୟା ଆରମ୍ଭ ହୋଇଥିବା ଡିଜି ସୂଚନା ଦେଇଛନ୍ତି । ଭିଡିଓ ଜରିଆରେ ମାଡ ମାରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଗିରଫ କରାଯିବ । ଏହା ସହ ଗୁଜବକୁ ବିଶ୍ୱାସ ନକରିବାକୁ ଡିଜିପି ଲୋକଙ୍କୁ ଅପିଲ କରିଛନ୍ତି । ଆଇନକୁ ହାତକୁ ନନେଇ ସନ୍ଦିଗ୍ଧ ଲୋକଙ୍କ ବିଷୟରେ ପୋଲିସକୁ ସୂଚନା ଦେବାକୁ ଡିଜି ଆର.ପି. ଶର୍ମା ଲୋକଙ୍କୁ ଅପିଲ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ଏକ ସପ୍ତାହ ତଳେ ବିଭିନ୍ନ ସୋସିଆଲ୍ ମିଡିଆରେ କେତେକ ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କ ଫଟୋ, ଭିଡିଓ ଆଦି ଘୂରି ବୁଲିବା ଆରମ୍ଭ କରିଥିଲା। ଯେଉଁଥିରେ କୁହାଯାଇଥିଲା କି ବିହାରରୁ ୫ ଶହ ଯୁବକ ଆସିଛନ୍ତି। ସେମାନେ ଛୋଟ ପିଲାଙ୍କୁ ଚୋରି କରି ନେବା ସହ ସେମାନଙ୍କ ଆଖି ତାଡ଼ି ନେଉଛନ୍ତି। ଏପରିକି କିଡନି ଓ ହାର୍ଟ ମଧ୍ୟ କାଢ଼ି ନେଉଛନ୍ତି। ଏହି ଗୁଜବରେ ଆହୁରି ମଧ୍ୟ କୁହା ଯାଇଥିଲା କି ସେମାନେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଏଭଳି କାଣ୍ଡ ଭିଆଇଛନ୍ତି। ଏହି ଗ୍ୟାଙ୍ଗ୍ ଏବେ ଓଡ଼ିଶାରେ ପ୍ରବେଶ କରିଛନ୍ତି। କୋରାପୁଟ, ରାୟଗଡ଼ା ପରେ ସଂପୃକ୍ତ ଗ୍ୟାଙ୍ଗ୍ ଖୋର୍ଧା ସହ ବାଲଶ୍ୱର ଜିଲ୍ଲାକୁ ଟାର୍ଗେଟ୍ କରିଛନ୍ତି। ଏହିଭଳି ବିଭ୍ରାନ୍ତିକର ଖବର ପ୍ରଚାର ହେବା ପରେ ଲୋକେ ଏହାକୁ ସତ ବୋଲି ବିଶ୍ୱାସ କରି ବିଭିନ୍ନ ସ୍ଥାନରେ ଅଭାବନୀୟ କାଣ୍ଡ ଭିଆଇବାରେ ଲାଗିଛନ୍ତି।