ବିରୋଧର ଶିକାର ହେଲେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଦାୟିତ୍ୱରେ ଥିବା କର୍ମଚାରୀ: ପ୍ରବାସୀ ଓଡିଆଙ୍କୁ ସେବା ଯୋଗାଉଥିବାରୁ ଗାଁକୁ ପଶିବାକୁ ଦେଲେନି ଗ୍ରାମବାସୀ

ପୁରୀ ସତ୍ୟବାଦୀ ମହୁରା ପଂଚାୟତର ଅଭାବନୀୟ ଘଟଣା

550

କନକ ବ୍ୟୁରୋ: ବିରୋଧର ଶିକାର ହେଲେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଦାୟିତ୍ୱରେ ଥିବା କର୍ମଚାରୀ । ପ୍ରବାସୀ ଓଡିଆଙ୍କୁ ସେବା ଯୋଗାଉଥିବା ଗ୍ରାମବାସୀ ସେମାନଙ୍କୁ ଗାଁରେ ପୁରାଇ ଦେଉନଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଓ ନିନ୍ଦନୀୟ ଅଭିଯୋଗ ଆସିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ମହୁରା ପଂଚାୟତରେ । ମହୁରା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ୧୪ ଜଣ ପ୍ରବାସୀ ଓଡିଆ ସଂଗରୋଧରେ ଅଛନ୍ତି ।

ଏମାନଙ୍କ ଦାୟିତ୍ୱ ତୁଲାଉଥିବା ସୁଇପର, ଇଲେକ୍ଟ୍ରିସିଆନ ଓ ରୋଷେୟାଙ୍କୁ ଗାଁରେ ପୁରାଇ ଦେଉନାହାନ୍ତି ଗ୍ରାମବାସୀ । ପ୍ରବାସୀଙ୍କ ସେବା କରୁଥିବାରୁ ସେମାନଙ୍କ ନାଁରେ ହୁଇପ୍ କରି ଗାଁରେ ପଶିବାକୁ ଅନୁମତି ଦେଉନଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ଅସ୍ଥାୟୀ ଶିବିରକ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବି କ୍ୟାମ୍ପସ ଭିତରକୁ ଯିବାକୁ ଦେଉନାହାନ୍ତି । ତେଣୁ ସେମାନେ ବାହାରେ ବସି ରହୁଥିବା ଦେଖିବାକୁ ମିଳିଛି ।

ଗ୍ରାମବାସୀଙ୍କ ଦ୍ୱାରା ବିରୋଧରେ ଶିକାର ହେବା ପରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି ମହୁରା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଦାୟିତ୍ୱରେ ଥିବା ନୋଡାଲ ଅଫିସର । ଏଭଳି ଘଡିସନ୍ଧି ମୂହୁର୍ତରେ ସେବା ଯୋଗାଉଥିବା କରୋନା ଯୋଦ୍ଧାଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଛି । ସେମାନଙ୍କ ବିରୋଧ କରିବା ବଦଳରେ ଲୋକମାନେ ସମର୍ଥନ କରି ସମ୍ମାନ ଦେବା କଥା ।