କନକ ବ୍ୟୁରୋ : ବର୍ଷା ପାଇଁ ବେଙ୍ଗ ଭରସା । ଆଷାଢ଼ ଯାଇ ଶ୍ରାବଣ ଅଧା ହେଲାଣି ତଥାପି ଆଖିଦୃଶିଆ ବର୍ଷା ନାହିଁ । ବର୍ଷାକୁ ଅପେକ୍ଷା କରି କରି ନିରାସ ହେଉଥିବା ଚାଷୀ ଇନ୍ଦ୍ର ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ କେଉଁଠି ହୋମଯଜ୍ଞ କରୁଛନ୍ତି ତ କେଉଁଠି ପୂଜାପାଠ କରୁଛନ୍ତି । ନବରଙ୍ଗପୁରରେ ବେଙ୍ଗ-ବେଙ୍ଗୁଲି ବାହାଘର ହୋଇଛି । ବାଜା ବାଜୁଛି ବେଦୀରେ ହଳଦୀ ତେଲ ଲେପନ ଚାଲିଛି । ଆଦିବାସୀ ରୀତିନୀତି ଅନୁଯାୟୀ ବେଙ୍ଗ ବେଙ୍ଗୁଲିଙ୍କ ବାହାଘର ଚାଲିଛି । ଏହି ବାହାଘର ୯ ଦିନ ପର୍ଯ୍ୟନ୍ତ କରାଯାଏ । ବର୍ଷା ହେଉନଥିଲେ ବେଙ୍ଗ ବେଙ୍ଗୁଲି ବିବାହ କଲେ ବର୍ଷା ହୁଏ ବୋଲି ବିଶ୍ୱାସ କରନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ଗ୍ରାମବାସୀ । ଗ୍ରାମବାସୀ ପ୍ରଥମେ ସ୍ଥାନୀୟ ଠାକୁରାଣୀଙ୍କୁ ପାରମ୍ପରିକ ରୀତିନୀତି ପୂଜାପାଠ କରିବା ପରେ ଭୀମା ମନ୍ଦିର ଠାରେ ଭୀମା ମୂର୍ତିକୁ ଗାଇ ଗୋବରରେ ପୋତି ପୂଜାର୍ଚ୍ଚନା କରିଥିଲେ । ପରେ ଭୀମା ମନ୍ଦିର ନିକଟରେ ଥିବା ପୋଖରୀ ଠାରୁ ବେଙ୍ଗ ଏବଂ ବେଙ୍ଗୁଲି ଧରି ଦୁଇଟି ମାଟି ହାଣ୍ଡିରେ ଅଲଗା ଅଲଗା ରଖନ୍ତି । ତାଳିଆମ୍ବା ସାହି ଲୋକ ବେଙ୍ଗକୁ ବର ଭାବେ ନେଇଥିବା ବେଳେ ବେଙ୍ଗୁଲିକୁ କନ୍ୟା ଭାବେ ନେଇଛନ୍ତି ଶିରାଗୁଡା ବାସିନ୍ଦା । ପ୍ରତିଦିନ ସକାଳେ, ସନ୍ଧ୍ୟାରେ ବର ପକ୍ଷ ଓ କନ୍ୟା ପକ୍ଷ ଲୋକ ଅଲଗା ଅଲଗା ବେଙ୍ଗ ବେଙ୍ଗୁଲିକୁ ତେଲ ହଳଦୀ ଲଗାଇ ବିବାହ କାର୍ଯ୍ୟ କରୁଛନ୍ତି । ବରପକ୍ଷ ବେଙ୍ଗକୁ ତେଲ ହଳଦୀ ଲଗାଇବା ପରେ ପଟୁଆରରେ ବେଙ୍ଗୁଲି ଘର ଶିରାଗୁଡା ସାହିକୁ ଯାଇଥାନ୍ତି । ସେଠାରେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ବେଙ୍ଗୁଲିକୁ ତେଲ ହଳଦୀ ଲଗାଇ ବିବାହ କାର୍ଯ୍ୟ କରୁଛନ୍ତି । ଏହିଭଳି ବେଙ୍ଗ ବେଙ୍ଗୁଲି ବାହାଘର ୯ ଦିନ ଧରି ଚାଲିବା ପରେ ପୋଖରୀରେ ବିସର୍ଜନ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି ।