କନକ ବ୍ୟୁରୋ : ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ଶୁଖିଲାଣି ନଦୀ ଶଯ୍ୟା । କେନ୍ଦ୍ରାପଡା ଜିଲ୍ଲାର କରାଣ୍ଡିଆ ନଦୀରେ ପାଣି ଶୁଖିଯିବାରୁ ନଦୀରେ ଦେଖାଯାଉଛି ବାଲି । ଚିନ୍ତାରେ ଜୀବିକା ନିର୍ବାହ ପାଇଁ ନଦୀ ଉପରେ ଭରସା ରଖିଥିବା ଚାଷୀ, ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକ । ପାଣି ସଂରକ୍ଷଣର ବ୍ୟବସ୍ଥା ନ ଥିବାରୁ ୩ ବର୍ଷ ହେବ ଏଭଳି ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ ।

Advertisment

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ, ଗରଦପୁର ଏବଂ କେନ୍ଦ୍ରାପଡା ତିନୋଟି ବ୍ଲକର ଜୀବନ ରେଖା କୁହାଯାଉଥିବା କରାଣ୍ଡିଆ ନଦୀ ସ୍ଥାନୀୟ ଲୋକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତିନୋଟି ବ୍ଲକର ହଜାର ହଜାର ଲୋକେ ଏହି ନଦୀ ଉପରେ ନିର୍ଭର କରି ଚାଷ ବାଷ ଠାରୁ ଆରମ୍ଭ କରି ମତ୍ସ୍ୟଜୀବି ମାନେ ନଦୀରୁ ମାଛଧରି ଗୁଜୁରାଣ ମେଣ୍ଟାଇଥାନ୍ତି । କିନ୍ତୁ ପ୍ରାୟ ତିନି ବର୍ଷ ହେବ ଖରାଦିନ ଆରମ୍ଭରୁ ନଦୀର ଜଳସ୍ତର ଅପ୍ରତ୍ୟାଶିତ ଭାବରେ କମିବାରେ ଲାଗିଛି ।

ଦିନେ ଯେଉଁ ନଦୀରେ ଜଳସ୍ତର ଠିକଠାକ ରହିବା ସହିତ ଭରପୁର ରହୁଥିଲା ଆଜି କିନ୍ତୁ ଶୁଖିଯାଇଛି । ନଦୀ କୂଳରେ ଗଢି ଉଠିଥିବା ଜନବସତି ଏହି ନଦୀର ପାଣି ଉପରେ ନିର୍ଭର କରି ଚାଷବାଷ କରିବା ସହିତ ନଦୀରୁ ମାଛଧରି ନିଜର ଗୁଜୁରାଣ ମେଣ୍ଟାଉଥିଲେ, କିନ୍ତୁ ଆଜି ନଦୀର ଏପରି ଅବସ୍ଥା ଦେଖି ଚିନ୍ତାରେ ପଡିଯାଇଛନ୍ତି । ନଦୀରେ ଜଳ ପ୍ରବାହ କମିଯିବା ସହିତ ସୁଖିଯାଇ ଅନେକ ସ୍ଥାନରେ ବାଲି ଦେଖାଯାଉଛି । ଅନେକ ସ୍ଥାନରେ ନଦୀର ପାଣି ଗୋଟିଏ ଧାରରେ ଚାଲିଛି ତାହା ପୁଣି ଜଳସ୍ତର ଅଧିକ ନଥିବାରୁ ଆଣ୍ଢୁଏ ଆଣ୍ଠୁଏ ପାଣି ରହୁଛି ।

ଗରଦପୁର, ମାର୍ଶାଘାଈ ଏବଂ କେନ୍ଦ୍ରାପଡା ବ୍ଲକର ଜୀବନ ରେଖା ବୋଲି କୁହାଯାଉଥିବା କରାଣ୍ଡିଆ ନଦୀ ହେଉଛି ମହାନଦୀରୁ ବାହାରିଥିବା ଲୁଣା ନଦୀର ଏକ ଶାଖା ନଦୀ । ଏହି ନଦୀ ଡେରାବିଶ ବ୍ଲକର କୁଳସାହି ନିକଟରୁ ଲୁଣା ନଦୀରୁ ବାହାରି ପ୍ରାୟ ୧୫ କିଲୋମିଟର ପ୍ରବାହିତ ହେବା ପରେ ମାର୍ଶାଘାଈ ବ୍ଲକର କରାଣ୍ଡିଆପାଟଣା ଗ୍ରାମ ନିକଟରେ ଲୁଣା ନଦୀରେ ମିଶ୍ରଣ ହୋଇଛି । ମାର୍ଶାଘାଈ ବ୍ଲକର ଜଳପୋକ, କରିଲୋପାଟଣା, ଆୟତିପୁର ଏବଂ ମେହେନ୍ଦିନଗର ପଞ୍ଚାୟତ ସହିତ ଗରଦପୁର ବ୍ଲକର ବଙ୍ଗାଳପୁର ଏବଂ କେନ୍ଦ୍ରାପଡା ବ୍ଲକର ବସପୁର ପଞ୍ଚାୟତର ୫୦ରୁ ଅଧିକ ଗ୍ରାମର ହଜାର ହଜାର ଲୋକମାନଙ୍କର ଜୀବନ ରେଖା ହେଉଛି କରାଣ୍ଡିଆ ନଦୀ । ଏହି ନଦୀର ପାଣି ବ୍ୟବହାର କରି ସ୍ତାନିୟ ଲୋକ ଚାଷବାଷ ଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟରେ ଉପଯୋଗ କରିଥାନ୍ତି । ସ୍ଥାନୀୟ ମତ୍ସ୍ୟଜୀବି ମାନେ ନଦୀରୁ ମାଛ ଧାରି ନିଜର ଗୁଜୁରାଣ ମଧ୍ୟ ମେଣ୍ଟାଇଥାନ୍ତି କିନ୍ତୁ ନଦୀରେ ଏବେ ପାଣି ଶୁଖିଯିବା ସହିତ ନଦୀଶଯ୍ୟା ଶୁସ୍କ ହୋଇଯାଇଛି । ନଦୀର ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଏବେ ଚିନ୍ତାରେ ପଡିଯାଇଛନ୍ତି ।