ଆଜି ବି ଢିଙ୍କିଆରେ ଜାରି ରହିବ ପାନ ବରଜ ଉଚ୍ଛେଦ କାର୍ଯ୍ୟ : ଲାଗି ରହିଛି ଉତ୍ତେଜନା, ବ୍ୟାପକ ପୁଲିସ ମୁତୟନ

 ଗତକାଲି ମୁହାଁମୁହିଁ ହୋଇଥିଲେ ପୁଲିସ ଓ ଗ୍ରାମାବାସୀ । ଗିରଫ ଭୟରେ ଗାଁ, ପୁରୁଷ ଶୂନ୍ୟ  

172

କନକ ବ୍ୟୁରୋ : ଆଜି ପ୍ରଶାସନ ପକ୍ଷରୁ ଢ଼ିଙ୍କିଆରେ ଜାରି ରହିବ ପାନବରଜ ଉଚ୍ଛେଦ କାର୍ଯ୍ୟ । ଗତକାଲି ପୁଲିସ-ଜନତା ମୁହାଁମୁହିଁ  ହୋଇଥିଲେ । ଏହାକୁ ନେଇ ଢିଙ୍କିଆରେ ପ୍ରବଳ ଉତେଜନା ଦେଖିବାକୁ ମିଳିଛି । ପୋଲିସର ଲାଠିମାଡ ପରେ ଖାଲି ହୋଇଯାଇଛି ଢିଙ୍କିଆ ଗାଁ । ଗିରଫ ଭୟରେ ଗାଁରେ ତାଟି କବାଟ ପଡ଼ିଥିବା ବେଳେ ପୁରୁଷ ଶୁନ୍ୟ ହୋଇପଡ଼ିଛି । ଆନ୍ଦୋଳନର ନେତୃତ୍ୱ ନେଇଥିବା ଦେବେନ୍ଦ୍ର ସ୍ୱାଇଁଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୁଲିସ । ଗତକାଲି ପାନବରଜକୁ ଗ୍ରାମବାସୀ ଯିବା ବେଳେ ପୋଲିସ ସହିତ ଉତ୍ତେଜନା ଦେଖାଦେଇଥିଲା ।

ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଗ୍ରାମବାସୀ । ଠେଲାପେଲା, ଧସ୍ତାଧସ୍ତି ହୋଇଥିଲା । ଏହାପରେ ପୋଲିସ ଆନ୍ଦୋଳନକାରୀଙ୍କ ଉପରକୁ ଲାଠିମାଡ଼ କରିଥିଲା । ଏଥିରେ କିଛି ଗ୍ରାମବାସୀ ଆହତ ହୋଇଛନ୍ତି । କିଛି ଆହତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏକ ଡ଼ାକ୍ତରୀ ଟିମ୍ ଢିଙ୍କିଆରେ ପହଂଚି ଆହତଙ୍କ ଚିକିତ୍ସା କରିଛନ୍ତି । ଢିଙ୍କିଆ ଅଂଚଳରେ ବ୍ୟାପକ ପୁଲିସ ମୂତୟନ କରାଯାଇଛି । ଆଜି କିପରି ଉଚ୍ଛେଦ କାର୍ଯ୍ୟ ହେବ, ଏହା ଉପରେ ସମସ୍ତଙ୍କ ନଜର ରହିଛି ।

ସୂଚନାନୁସାରେ, ପ୍ରଶାସନ ପକ୍ଷରୁ ‌ଏବେ ପ୍ରଭାବିତ ଅଞ୍ଚଳରେ ପାନବରଜ ଓ ଫଳନ୍ତି ଗଛ ମାପଚୁପ ଚାଲିଛି । ଗତକାଲି ଦିନ ୧୧ଟା ସମୟରେ ଢିଙ୍କିଆର ୫୦୦ରୁ ଅଧିକ ଲୋକ ଶୋଭାଯାତ୍ରାରେ ବରଜ ମାପଚୁପ ସ୍ଥାନକୁ ଆସୁଥିଲେ । ଏହି ସମୟରେ ଗାଁ ମୁଣ୍ଡରେ ସେମାନଙ୍କୁ ପୁଲିସ ଅଟକାଇଥିଲା । କୋଭିଡ୍ କଟକଣା ଯୋଗୁଁ ସେମାନଙ୍କୁ ଅଟକାଯିବା ସମୟରେ ଆନ୍ଦୋଳନକାରୀ ଉତ୍ତ୍ୟକ୍ତ ‌ହୋଇପଡ଼ିଥିଲେ। ସେମାନେ ପୁଲିସକୁ ଗାଳିଗୁଲଜ କରିଥିଲେ ।

କିନ୍ତୁ ପୁଲିସ ଶୋଭାଯାତ୍ରାକୁ ଅନୁମତି ନ ଦେବାରୁ ଆନ୍ଦୋଳନକାରୀମାନେ ପୁଲିସକୁ ଆକ୍ରମଣ କରିଥିଲେ । ଏମିତିକି କିଛି ଲୋକ ବ୍ଲେଡ୍ ସାହାଯ୍ୟରେ ପୁଲିସକୁ ଆକ୍ରମଣ କରିବା ସହ ଜରିରେ ପରିସ୍ରା ଭର୍ତ୍ତି କରି ପୁଲିସ ଉପରକୁ ଫୋପାଡ଼ି ଥିଲେ । ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପୁଲିସ ମୃଦୁ ଲାଠି ଚାଳନା କରିଥିଲା । ଏଥିରେ ଆହତ ହୋଇଥିବା ଆନ୍ଦୋଳନକାରୀମାନଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି ।

ଆନ୍ଦୋଳନକାରୀଙ୍କ ମାଡ଼ରେ ୧୫ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଜଣେ ମହିଳା ପୁଲିସ କର୍ମଚାରୀଙ୍କ ହାତ ଭାଙ୍ଗିଥିବା ବେଳେ ଅଧିକାଂଶ ଅସଦାରଚଣର ଶିକାର ହୋଇଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଗିରଫ ହୋଇଥିବା ଦେବେନ୍ଦ୍ର ପୁଲିସ କର୍ମଚାରୀଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଥିବା ଅଭିଯୋଗ ହୋଇଛି । ପୁଲିସ ଦେବେନ୍ଦ୍ରଙ୍କ ସମେତ ମୁରଲୀ ସାହୁ ଓ ନରେନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଛି । କୈଳାସ ସ୍ବାଇଁ ଓ କଲ୍ୟାଣ ଆନନ୍ଦଙ୍କୁ ଥାନାରେ ଅଟକ ରଖାଯାଇଛି । ଅନ୍ୟପଟେ ପୁଲିସ ଓ ପ୍ରଶାସନକୁ ଗାଁରେ ପୂରାଇ ନ ଦେବା ପାଇଁ ଢ଼ିଙ୍କିଆରେ ଆନ୍ଦୋଳନକାରୀମାନଙ୍କ ଦ୍ବାରା କରାଯାଇଥିବା ୩ଟି ଫାଟକକୁ ପୁଲିସ ଭାଙ୍ଗି ଦେଇଛି ।

ପୁଲିସର ଉଗ୍ରରୂପ ଦେଖି ଏବେ ବି ବହୁ ଆନ୍ଦୋଳନକାରୀ ଜଙ୍ଗଲ ଓ ଅନ୍ୟାନ୍ୟ ସ୍ଥାନରେ ଲୁଚି ରହିଛନ୍ତି। କିନ୍ତୁ ଗତକାଲି ଆନ୍ଦୋଳନକାରୀମାନଙ୍କୁ ସମର୍ଥନ କରିବାକୁ ଆସି ଥିବା ଦୁଇ ଜଣ ନେତା ସେମାନଙ୍କୁ ଏଭଳି ଶୋଭାଯାତ୍ରାରେ ଯିବାକୁ ପ୍ରବର୍ତ୍ତାଇ ଥିବା କୁହାଯାଉଛି । ଅନ୍ୟପଟେ ସେମାନଙ୍କ ପାନବରଜକୁ ପ୍ରଶାସନ ଜୋରଜବରଦସ୍ତ ଭାଙ୍ଗୁ ଥିବା ସୂଚନା ପାଇ ସେମାନେ ସେଠାକୁ ଯାଉଥିଲେ ବୋଲି ଆନ୍ଦୋଳନକାରୀ ମାନଙ୍କ ପକ୍ଷରୁ କୁହାଯାଉଛି ।