ଶୁଣିଲାନି ପ୍ରଶାସନ…ଗାଁ ଲୋକ କଲେ ରାସ୍ତା ନିର୍ମାଣ । କାଲିମେଳା ବ୍ଲକ ପେଡାକୋଣ୍ଡା ଉପାନ୍ତ ଗାଁର ଚିତ୍ର ।

ପ୍ରଶାସନ ନଶୁଣିବାରୁ ଗାଁ ଲୋକ କଲେ ରାସ୍ତା କାମ

58

କନକ ବ୍ୟୁରୋ: ପ୍ରଶାସନ ସେମାନଙ୍କ କଥା ଶୁଣିଲାନି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଗ୍ରାମ ରାସ୍ତା ମରାମତି କରାଗଲାନି । ଫଳରେ କାଲିମେଳା ବ୍ଲକର ପେଡ଼ାକୋଣ୍ଡା ପରି ଏକ ଉପାନ୍ତ ଗ୍ରାମର ଆଦିବାସୀମାନେ ଆଜି କୋଡ଼ି କୋଦାଳ ଧରି ନିଜ ଗ୍ରାମ ରାସ୍ତାକୁ ନିଜେ ମରାମତି କରିବାକୁ ଅଂଟା ଭିଡ଼ିଛନ୍ତି । ଗୁମକା ପଂଚାୟତର ଏମପିଭି-୧୫ ଗ୍ରାମରୁ ପେଡ଼ାକୋଣ୍ଡାକୁ ଯାଇଥିବା ଏହି ରାସ୍ତାର ପ୍ରାୟ ୧ କିମି ରାସ୍ତାକୁ ଆଜି ପେଡ଼ାକୋଣ୍ଡା ଗ୍ରାମବାସୀମାନେ ମରାମତି କରୁଥିବାର ଜଣାପଡ଼ିଛି । ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଗ୍ରାମବାସୀ ଟ୍ରାକ୍ଟର ଯୋଗେ ମୋରମ ଓ ମେଟାଲ ଆଣି ରାସ୍ତାରେ ପକାଇ ମରାମତି କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

ବର୍ଷା ଦିନେ ଏହି ରାସ୍ତାରେ ଯିବାଆସିବା କରିବାକୁ ଗ୍ରାମବାସୀ ଦୀର୍ଘ ଦିନରୁ ଅସୁବିଧାର ସମ୍ମୁଖୀନ ହୋଇଆସୁଥିଲେ । ଏପରିକି ପେଡ଼ାକୋଣ୍ଡା ଗ୍ରାମକୁ ଭଲ ରାସ୍ତାଟିଏ ନଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଆସିପାରୁନଥିବାରୁ ଗର୍ଭବତୀ କିମ୍ବା ରୋଗୀମାନଙ୍କୁ ଡ଼ାକ୍ତରଖାନା ନିଆଯାଇପାରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ସେମାନେ ବ୍ଲକ ଅଧ୍ୟକ୍ଷ ଓ ସରପଂଚଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ କଥା କେହି ଶୁଣିଲେନାହିଁ । ତେବେ ଏ ସଂପର୍କରେ କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢ଼ିଙ୍କୁ ପଚାରିବାରୁ ସେ କହିଥିଲେ ଯେ ବିଜୁ କେବିକେ ଯୋଜନାରେ ପେଡ଼ାକୋଣ୍ଡା ଗ୍ରାମ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଯାଇଛି ମଂଜୁରୀ ମିଳିଲେ ଖୁବ ଶୀଘ୍ର ରାସ୍ତା ନିର୍ମାଣ କରାଯିବ ।