ଓଡିଶାରୁ ମିଳୁନି ମୌଳିକ ସୁବିଧା: ଗାଁରେ ନାହିଁ ଶିକ୍ଷା-ସ୍ୱାସ୍ଥ୍ୟ କି ଗମନାଗମନ ସୁବିଧା, ଆଦିବାସୀ ଗାଁକୁ ଆସୁନାହାନ୍ତି ସରକାରୀ ବାବୁ

126

କନକ ବ୍ୟୁରୋ: ବିକାଶ ଠାରୁ ବହୁ ଦୁରରେ ମାଲକାନାଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ କପାତୁଟି ପଂଚାୟତର ୫ଟି ଗାାଁ । ଗ୍ରାମାଂଚଳର ବିକାଶ ପାଇଁ ସରକାର ଯୋଜନା ପରେ ଯୋଜନା କରୁଥିବା ବେଳେ ମୌଳିକ ସୁବିଧାରୁ ବଂଚିତ ଗ୍ରାମବାସୀ । ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସମସ୍ୟା ରହିଥିବା ବେଳେ କେବେ ଗାଁକୁ ଆସିନାହାନ୍ତି ସରକାରୀ ଅଧିକାରୀ କି ବୁଝି ନାହାନ୍ତି ଗ୍ରାମବାସୀଙ୍କ ଦୁଃଖ ।

ମାଲକାନାଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ କପାତୁଟି ପଂଚାୟତର ୫ଟି ଗାଁ, ମାରିଗୁଡା, ଭାଲୁଗୁଡା, କୋଡିପାନ୍ତରୁ, ପେଦାଲେଙ୍କା ଓ ତିଆଲମାମୁଡି କାଲିମେଳା ବ୍ଲକ ସୀମାରେ ରହିଛି । ଆଜି ବି ଏହି ଗାଁଗୁଡିକୁ ଯୋଡି ପାରିନାହିଁ ପକ୍କା ରାସ୍ତା । ପାନୀୟଜଳ, ଶିିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସୁବିଧା ଠାରୁ ଅନେକ ଦୂରରେ ଥିବା ଏହି ଗାଁରେ କେବଳ ବିଦ୍ୟୁତ ସେବା ପହଂଚି ପାରିଛି । ଉଜୁଡା ବ୍ୟବସ୍ଥା ଭିତରେ ଲୋକେ ଭଗବାନ ଭରସାରେ ଜୀବନ ଜିଉଁଥିବା ବେଳେ ସରକାରୀ ବାବୁ କି କର୍ମଚାରୀଙ୍କ ପାଦ ପଡିନି ଏଇ ଅବହେଳିତ ଗାଁରେ ।

ଦିବ୍ୟାଙ୍ଗଙ୍କୁ ମିଳୁନି ଭିନ୍ନକ୍ଷମ ଭତା, ଗାଁ ପାଖରେ ସ୍କୁଲ ନଥିବାରୁ ୭ କିଲୋମିଟର ଦୂର ସ୍କୁଲକୁ ଯାଉନାହାନ୍ତି ପିଲା । ତେଣୁ ଏ ଅଂଚଳରେ ପ୍ରାୟ ସମସ୍ତେ ନିରକ୍ଷର କହିଲେ ଚଳେ । ସେହିଭଳି ଚୂଆ ପାଣିରେ ଶୋଷ ମେଂଟୁଥିବା ବେଳେ ଓଡିଶା ଛାଡି ପଡୋଶୀ ଆନ୍ଧ୍ରପ୍ରଦେଶରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଏହାରି ଭିତରେ କିଛି ଲୋକ ଆନ୍ଧ୍ର ପ୍ରଦେଶ ସହ ମିଶି ସାରିଥିବା ଜଣାପଡିଛି । ସେପଟେ ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବାକୁ ଅରାଜି ହେଉଛନ୍ତି ଚିତ୍ରକୋଣ୍ଡା ବିଡିଓ ।