କନକ ବ୍ୟୁରୋ : ଗାଁ ମହିଳାଙ୍କ ବ୍ୟାକେରି ୟୁନିଟ୍ । ପାଉଁରୁଟି, କେକ୍, ନିମକି, ଲଡ଼ୁ, ମଣ୍ଡାପିଠା ଭଳି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ଆତ୍ମନିର୍ଭରଶିଳ ହେଉଛନ୍ତି ମହିଳା । ବର୍ଷକୁ ପାଖାପାଖି ୩୦ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ହେଉଥିବା ବେଳେ ଭଲ ଲାଭ ମଧ୍ୟ ହେଉଛି । କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଚଢେଇଗଳା ଗାଁର ଜୟ ହନୁମାନ ସ୍ୱୟଂ ସହାୟକ ଗୋଷ୍ଠୀର ୧୨ ଜଣ ମହିଳା ଏକାଠି ହୋଇ ପାଉଁରୁଟି ପ୍ରସ୍ତୁତ କରୁଛନ୍ତି । ପ୍ରାୟ ୧୦ ବର୍ଷ ତଳେ ମହିଳା ମାନେ ଏଭଳି ଏକ ସୁନ୍ଦର ପ୍ରୟାସ ଆରମ୍ଭ କରିଥିଲେ । କାଠ ଚୁଲିରେ ପାରମ୍ପାରିକ ପ୍ରଣାଳୀରେ ପ୍ରସ୍ତୁତ କରୁଥିଲେ ପାଉଁରୁଟି । ବର୍ଷା ଦିନେ ଚୁଲି ଓଦା ହୋଇଯାଉଥିଲା । କାଠି ବି ଜଳୁନଥିଲା । ସେଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅଧାଦିନ କାମ ମଧ୍ୟ ବନ୍ଦ ରହୁଥିଲା । ଏବେ ମିଶନ ଶକ୍ତି ସହାୟତାରେ ବ୍ୟାଙ୍କରୁ ଲୋନ ଆଣି ମେସିନ କିଣିଛନ୍ତି । ମେସିନ୍ ଦ୍ୱାରା ମଇଦା ଗୋଳାଇବା ସହ ମାତ୍ର ୮ ମିନିଟ୍ ଭିତରେ ପ୍ରସ୍ତୁତ ହେଉଛି ପାଉଁରୁଟି । ଆଗ ଅପେକ୍ଷା ଅଧିକ ପରିମଣର ସାମଗ୍ରୀ ମଧ୍ୟ ତିଆରି ହୋଇପାରୁଛି ।
ଘର କାମ ପରେ ସକାଳ ୮ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଫ୍ୟାକ୍ଟ୍ରିରେ କାମ କରନ୍ତି ମହିଳା । ମାସକୁ ୧୦ରୁ ୧୨ ହଜାର ଟଙ୍କା ରୋଜଗାର ହେଉଥିବାରୁ ସେମାନଙ୍କ ପରିବାର ବି ଖୁସିରେ ଚଳୁଛି । ଉତ୍ପାଦିତ ହେଉଥିବା ସାମଗ୍ରୀ ରାଜନଗର, ରାଜକନିକା, ଚାନ୍ଦବାଲି, ପଟ୍ଟାମୁଣ୍ଡାଇ ଓ ଆଳିରେ ବିକ୍ରି କରାଯାଉଛି । ଆଉ କିଛି ସହଯୋଗ ମିଳିଲେ ଅଧିକ ମେସିନ୍ ବସାଇବା ସହ ପାଉଁରୁଟି ପ୍ରସ୍ତୁତ ପାଇଁ ଘରର ଆବଶ୍ୟକତା ପୁରଣ ହୋଇପାରନ୍ତା ବୋଲି ସେ କହିଛନ୍ତି ।
ପୂର୍ବରୁ ମହିଳା ମାନେ କେବଳ ଘର କାମରେ ସୀମିତ ରହୁଥିଲେ । ବିଶେଷକରି ଗାଁ ଗହଳିରେ ରହୁଥିବା ମହିଳା ମାନେ କିଛି ରୋଜଗାର କରିବାକୁ ଚାହୁଥିଲେ ମଧ୍ୟ ସେମାନଙ୍କୁ ରୋଜଗାରର ମାଧ୍ୟମ ମିଳିପାରୁନଥିଲା । ଏବେ ସମୟ ବଦଳିବା ସହ ସେମାନଙ୍କ କାର୍ଯ୍ୟ ଦକ୍ଷତାରେ ପରିବର୍ତନ ଆସିଛି । ମହିଳା ମାନେ ଘର କାମ ସାରି ଅନ୍ୟ କିଛି କାମ କରି ସେମାନଙ୍କ ପରିବାର ଚଳାଇବାରେ ସହଯୋଗ କରିପାରୁଛନ୍ତି ।