ମସଲା ତିଆରି କରି ସ୍ୱାବଲମ୍ବୀ ହେଲେ ଗାଁ ମହିଳା । ହଳଦୀ, ଜିରା, ଲଙ୍କା ଓ ଧଣିଆ ଗୁଣ୍ଡ କରି କରୁଛନ୍ତି ପ୍ୟାକେଟିଂ

154

କନକ ବ୍ୟୁରୋ : ବିଭିନ୍ନ ପ୍ରକାରର ମସଲା ତିଆରି କରି ସ୍ୱାବଲମ୍ବୀ ହୋଇଛନ୍ତି ଗ୍ରାମାଂଚଳର ମହିଳା । ବିନା ତାଲିମରେ ଗାଁ ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ମସଲା । ଆଉ ଏହାକୁ ବଜାରରେ ବିକ୍ରି କରି ରୋଜଗାରକ୍ଷମ ହୋଇଛନ୍ତି । ଏହି ରୋଜଗାର ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛି ।

ବାଲେଶ୍ୱର ଭୋଗରାଇ ବ୍ଲକ କମର୍ଦା ଅଂଚଳର ମହିଳା ମାନେ ଘର କାମ ପରେ ବିଭିନ୍ନ ପ୍ରକାରର ମସଲା ପ୍ରସ୍ତୁତ କରୁଛନ୍ତି । ବଜାରରୁ ଗୋଟା ହଳଦୀ, ଲଙ୍କା, ଧଣିଆ, ଜିରା କିଣି ମେସିନରେ ଗୁଣ୍ଡ କରୁଛନ୍ତି । ବିଭିନ୍ନ ସାଇଜର ପ୍ୟାକେଟିଂ କରି ବଜାରରେ ବିକ୍ରି କରୁଛନ୍ତି । ସେହିପରି ଚାଉଳ ଭଜା, ଛତୁଆ, ବଡ଼ି ଭଳି ବିଭିନ୍ନ ପ୍ରକାରର ଖାଇବା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଏହାକୁ ସ୍ଥାନୀୟ ବଜାରରେ ବିକ୍ରି କରିବା ସହ ହୋଲସେଲ ରେଟ୍ରେ ଦୋକାନ ଗୁଡ଼ିକରେ ବିକ୍ରି କରି ସ୍ୱାବଲମ୍ବୀ ହୋଇଛନ୍ତି ।

୨୦୨୧ରେ ଗାଁର ୩୮ରୁ ଅଧିକ ମହିଳା ମିଶି ଦଶଭୁଜା ଆଂଚଳିକ ସଂଗଠନ କରିଥିଲେ । ପ୍ରଥମେ ଏକ ଲକ୍ଷ ଟଙ୍କାର ରୁଣ ନେଇ ଗ୍ରାଇଣ୍ଡିଙ୍ଗ ମେସିନ୍ କିଣି ଆରମ୍ଭ କରିଥିଲେ ଏହି ବ୍ୟବସାୟ । ୨ ବର୍ଷ ଭିତରେ ବ୍ୟବସାୟରେ ବେଶ ଉନ୍ନତି ହୋଇଥିବା ବେଳେ ଖୁସି ପ୍ରକାଶ କରିଛନ୍ତି ମହିଳା ।

ମହିଳାଙ୍କ ହାତ ତିଆରି ସାମଗ୍ରୀ କିଣିବା ପାଇଁ ଗ୍ରାହକଙ୍କ ଭିତରେ ଆଗ୍ରହ ବଢୁଛି । ବଜାରରେ ଏହି ସବୁ ସାମଗ୍ରୀର ଚାହିଦା ରହିଥିବା ବେଳେ ଉପକୃତ ହେଉଛନ୍ତି ଏସଏଚଜି ମହିଳା । ଘର କାମ ସହ ଏହି କାମ କରିବା ଦ୍ୱାରା ସେମାନେ ମାସକୁ ୪ରୁ ୫ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରୁଛନ୍ତି ।