ପାହାଡି ଗାଁ ଟିଙ୍ଗରାପଡାରେ ପାହାଡ ଭଳି ସମସ୍ୟା । ରାସ୍ତା ନାହିଁ କି ନାହିଁ ବିଜୁଳି ଆଲୁଅ ନାହିଁ ।

52

କନକ ବ୍ୟୁରୋ: ପାହାଡ଼ି ଗାଁ । ପୁଳାପୁଳା ସମସ୍ୟା । ବଞ୍ଚିବା ପାଇଁ ଅହରହ ସଂଘର୍ଷ । ପିଲାରୁ ବୁଢା ସମସ୍ତେ ଅବହେଳିତ ଓ ନିଷ୍ପେସିତ କହିଲେ ଚଳେ । ପୁରା ଅଞ୍ଚଳକୁ ଦେଖିଲେ, ଯେ କେହି ବି ଅନୁମାନ କରିପାରିବେ ଏମାନଙ୍କ ଅସହାୟତାକୁ, ଅଭାବକୁ । ସୁନ୍ଦରଗଡ ବାଲିଶଙ୍କରା ବ୍ଲକ ଟିଙ୍ଗିରାପଡା ଗାଁ, ସ୍ୱାଧୀନତାର ୭୫ ବର୍ଷ ପରେ ଏଠି ରାସ୍ତା ନାହିଁ, ପାଣି ନାହିଁ କି ବିଜୁଳି ନାହିଁ । ରୋଗୀଙ୍କୁ ଖଟିଆ ଭରସା, ଅନ୍ଧାର ହଟେଇବା ପାଇଁ ଲଣ୍ଠନ ଓ ଡିବି ଆଲୁଅ ସାହା । ଗ୍ରାମବାସୀ କୁହନ୍ତି, ଚୂଆ ଓ ଖୋଲା କୁଅର ପାଣିରେ ବଞ୍ଚିଛି ଜୀବନ ।

ଲୋକଙ୍କ ପାଇଁ ଜନ୍ମ ଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ରହିଛି ଅନେକ ଯୋଜନା । ହେଲେ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ହିତାଧିକାରୀଙ୍କ ପାଖରେ ପହିଞ୍ଚିପାରୁନାହିଁ ସରକାରୀ ଯୋଜନା । ଏହି ଗାଁ ସମସ୍ୟା ନେଇ ବାଲିଶଙ୍କରା ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି, ବିଭାଗୀୟ ଅଧିକାରୀଙ୍କୁ ଗ୍ରାଉଣ୍ଡ ଜିରୋକୁ ପଠାଇ ତଦନ୍ତ କରିବେ । ଗାଁକୁ କେମିତି ସମସ୍ତ ସୁବିଧା ପହଞ୍ଚିବ ସେନେଇ ଶୀଘ୍ର ପଦକ୍ଷେପ ନେବେ ।

ତେବେ ବିଜୁଳି ନଥିବାରୁ ଅନ୍ଧାର ରାତିରେ ଭୟ ବଢାନ୍ତି ହାତୀପଲ । ଗାଁରେ ପଶି ଉପଦ୍ରବ କରିଥାନ୍ତି । ହେଲେ ଗାଁ ସମସ୍ୟାକୁ ନେଇ ଯେତେ କହିଲେ ବି କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ।