କନକ ବ୍ୟୁରୋ : ସରକାରଙ୍କ ମାଳମାଳ ଯୋଜନା ଭିତରେ ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ନା ଅଛି ରାସ୍ତା ନା ଅଛି ପିଇବା ପାଣିର ବ୍ୟବସ୍ଥା । ଶିକ୍ଷା ବ୍ୟବସ୍ଥାରେ କୁନି କୁନି ପିଲାଙ୍କ ପାଇଁ ଅଙ୍ଗନବାଡି ଓ ସ୍କୁଲ ଏଠି ଅପହଞ୍ଚ । ସ୍ୱାସ୍ଥ୍ୟ ସେବା କଥା ନକହିବା ଭଲ । ଜୀବନ ଜୀବିକା ପାଇଁ ପଡୋଶି ଆନ୍ଧ୍ର ଉପରେ ନିର୍ଭର କରୁଥିବା ଓଡିଶା ଗାଁ ଏବେ ବିକାଶ ମାଗୁଛି । ଆସନ୍ତୁ ଜାଣିବା ଏମିତି ଏକ ଅବହେଳିତ ଗାଁର କାହାଣୀ ।

Advertisment

ନାଗାବଳୀ ଡେଇଁ ପାରୁନି ସରକାରୀ ଯୋଜନା । ବିକାଶ ଖୋଜୁଛି ରାୟଗଡ଼ାର ‘କେରାଣ୍ଡି’ ଗାଁ । ଆନ୍ଧ୍ର-ଓଡିଶା ସୀମାନ୍ତ ରାୟଗଡା ବ୍ଳକ ହାଟଶେଷଖାଲ ପଞ୍ଚାୟତ ଅନ୍ତର୍ଗତ ଏଇ କେରାଣ୍ଡି ଗାଁ । ପାହାଡର ପାଦ ଦେଶରେ ନାଗାବଳୀ ନଦୀ କୂଳରେ ରହିଛି ଏହି ଗାଁ । ଗ୍ରାମରେ ଆଦିବାସୀ ସଂପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ଜୀବନ ଜୀବିକା କହିଲେ ଜଙ୍ଗଲ ଜାତ ଦ୍ରବ୍ୟକୁ ସଂଗ୍ରହ କରି ଆନ୍ଧ୍ରରେ ବିକ୍ରି କରିବା । କାହିଁ କେଉଁ କାଳରୁ ଗ୍ରାମବାସୀ ଏଠାରେ ରହୁଥିବା ବେଳେ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନର ନଜର ପଡିନାହିଁ । ତେଣୁ ଆଜି ବିକାଶ ଖୋଜୁଛି ଏହି ଦୁର୍ଗମ ପାହାଡି କେରାଣ୍ଡି ଗାଁ ।

ଗାଁରେ ଅଙ୍ଗନବାଡି କେନ୍ଦ୍ରଟିଏ ନାହିଁ କି ସ୍କୁଲ ନାହିଁ । ତେଣୁ ଛୋଟ ଛୋଟ ଶିଶୁ ଘରେ ରହୁଥିବା ବେଳେ ପୁଷ୍ଟିକର ଖାଦ୍ୟ ପାଇପାରୁନଥିବା ଅଭିଯୋଗ ହୋଇଛି । କୁନିକୁନି ପିଲା ନାଗାବଳୀ ନଦୀ ଡେଇଁ ୬ କିଲୋମିଟର ଦୂର ହାଟଶେଷଖାଲରେ ଥିବା ସ୍କୁଲକୁ ଯାଇଥାନ୍ତି । ପିଡିଏସ ସାମଗ୍ରୀ ଓ ଭତା ପାଇଁ ହିତାଧିକାରୀ ମଧ୍ୟ ଚାଲନ୍ତି ୬ କିଲୋମିଟର ବାଟ । ରାସ୍ତା ଓ ସ୍ୱାସ୍ଥ୍ୟ ସେବାର ଏଭଳି ସ୍ଥିତି ଯେ, ରୋଗୀ ଓ ପ୍ରସୂତିଙ୍କୁ ଖଟିଆରେ ବୋହି ୧୦ କିଲୋମିଟର ଦୂର ଜେମାଦେଇପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥାନ୍ତି ସମ୍ପର୍କୀୟ । ନାଗାବଳୀ ନଦୀ କୂଳରେ ଥିବା ଗାଁର ଲୋକଙ୍କ ଶୋଷ ମେଣ୍ଟୁଛି ପାହାଡରୁ ଝରୁଥିବା ପାଣିରେ । ସେପଟେ ଏସବୁ ପାଇଁ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ।