ଏଠି ମହିଳା ନୁହେଁ, ରୋଷେଇ ଘର ସମ୍ଭାଳନ୍ତି ପୁରୁଷ । ୫୦୦ ବର୍ଷ ହେଲାଣି ରହିଆସିଛି ପରମ୍ପରା ।

341

କନକ ବ୍ୟୁରୋ : ସାଧାରଣତଃ ରୋଷେଇ ଘରକୁ ମହିଳାଙ୍କ କ୍ଷେତ୍ର ବୋଲି ବିବେଚନା କରାଯାଏ । ଯୁଗ ଯୁଗ ଧରି ପ୍ରତ୍ୟେକ ଘରେ ମହିଳାମାନେ ହିଁ ରୋଷେଇ ଘର ସମ୍ଭାଳିଆସୁଛନ୍ତି । ଆପଣଙ୍କ ଘରେ ମଧ୍ୟ ଆପଣଙ୍କ ମା କିମ୍ବା ଆପଣଙ୍କ ପତ୍ନୀ ରୋଷେଇ କରିଥାନ୍ତି । କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବୁ, ଯେଉଁ ଗାଁରେ କେବଳ ପୁରୁଷ ହିଁ ରୋଷେଇ କରନ୍ତି । ପୁଡୁଚେରୀରେ ଏମିତି ଏକ ଗାଁ ଅଛି, ଯାହା ଭିଲେଜ୍ ଅଫ୍ କୁକ୍ସ ନାମରେ ପରିଚିତ ।

ପୁଡୁଚେରୀରେ ଅବସ୍ଥିତ କାଲାୟୁର ଗ୍ରାମରେ ପୁରୁଷମାନଙ୍କୁ ରୋଷେଇ ରାଜା ଭାବରେ ବିବେଚନା କରାଯାଏ । ଗତ ୫ ଶତାବ୍ଦୀ ଅର୍ଥାତ ପ୍ରାୟ ୫ ଶହ ବର୍ଷ ଧରି ଏହି ଗାଁରେ ରୋଷେଇ ଘରେ କେବଳ ପୁରୁଷ ମାନେ ହିଁ ରୋଷେଇ କରି ଆସୁଛନ୍ତି । ପୁଡୁଚେରୀରୁ ପ୍ରାୟ ୩୦ କିଲୋମିଟର ଦୂରରେ ଏହି ଗାଁଟି ଅବସ୍ଥିତ । ଗାଁରେ ପ୍ରାୟ ୮୦ଟି ଘର ଥିବାବେଳେ ରୋଷେଇ ଘରେ କେବଳ ପୁରୁଷ ହିଁ ରୋଷେଇ କରିବାର ପରମ୍ପରା ରହିଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଗାଁରେ ପାଖାପାଖି ୨୦୦ ଜଣ ପୁରୁଷ ରୋଷେୟା ଅଟନ୍ତି । ଏପରିକି ଏମାନଙ୍କୁ କଠୋର ତାଲିମ ମଧ୍ୟ ନେବାକୁ ପଡିଥାଏ । ଗାଁରେ ପୁରୁଷ ମାନଙ୍କୁ ଭଲ ରୋଷେୟା ହେବା ପାଇଁ ୧୦ ବର୍ଷ ଧରି ଲମ୍ବା ଟ୍ରେନିଂ ନେବା ବାଧ୍ୟତାମୂଳକ ଅଟେ । ତେବେ ଘରେ ରୋଷେଇ କରିବା ସହ ଏଠାକାର ପୁରୁଷମାନେ ବିଭିନ୍ନ ବାହାଘର ଭୋଜି ଏବଂ ଅନ୍ୟ ପାର୍ଟି ମାନଙ୍କରେ ମଧ୍ୟ ରୋଷେଇ କରିଥାନ୍ତି ।

କୁହାଯାଏ, ଅନେକ କାଳରୁ ଏହି ଗାଁରେ ଏହି ପ୍ରଥା ଚାଲିଆସିଛି । ପୂର୍ବରୁ ନା କୌମସି ଚାକିରି ଥିଲା ନା କିଛି କାମ ମିଳୁଥିଲା । ଚାଷକାମ କରିବା ଅତ୍ୟନ୍ତ କଷ୍ଟ ଥିବାରୁ ଏଭଳି ପରିସ୍ଥିତିରେ ଗାଁର ପୁରୁଷମାନେ ରୋଷେୟା ହେବା ଭଲ ବୋଲି ଭାବିନେଇଥିଲେ । ଆଉ ଏହା ପରେ ପୀଢି ପରେ ପୀଢି, ଗାଁର ପ୍ରତ୍ୟେକଟି ପୁରୁଷ ରୋଷେୟା ହିଁ ବନି ଆସୁଛନ୍ତି ।