ଗାଁ ଲାଗୁଛି ସହର ଭଳି: ସେଲଫି ଓ ଭିଡିଓ ସୁଟିଂ ପାଇଁ ଖଲ୍ଲକୋଟ ଚିକିଲି ଗାଁରେ ଯୁବପୀଢି ଭିଡ

409

କନକ ବ୍ୟୁରୋ: ଗାଁ ଏବେ ସହର ସହର ଲାଗୁଛି । ଆଗରୁ ସହରରେ ପାର୍କର ମଜା ନେଉଥିଲେ ଲୋକେ । ସେ ସାକଳ ପ୍ରତଃଭ୍ରମଣ ହେଉ ବା ସଂଧ୍ୟାରେ ପରିବାର ଓ ସାଙ୍ଗ ସାଥିଙ୍କ ସହ ପାର୍କର ବୁଲାବୁଲିର ମଜା । ଏବେ ଏ ଖୁସି ଗାଁରେ ମିଳୁଛି । କାରଣ ଗାଁରେ ସହରଠୁ ସୁନ୍ଦର ଉଦ୍ୟାନ ନିର୍ମାଣ କରାଯାଇଛି । ସରକାରଙ୍କ ଚେଷ୍ଟା ବଳରେ ଗାଁ ଗୁଡିକରେ ପାର୍କ ଗଢି ଉଠିଛି ।

ଆକାଶ ମାର୍ଗରୁ ଆପଣ ଦେଖୁଥିବା ଏ ଚିତ୍ର ଗଞ୍ଜାମ ଖଲ୍ଲିକୋଟ ବ୍ଲକ ଚିକିଲି ଗାଁର । ଚକାଠାକୁର ମନ୍ଦିର ନିକଟରେ ନିର୍ମାଣ ହୋଇଛି ଚକାଠାକୁର ଉଦ୍ୟାନ । ପାଖରେ ରହିଛି ଆଦର୍ଶ ପୋଖରୀ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରସାଶନ ସହଯୋଗରେ ତିଆରି ହୋଇଥିବା ଏହି ଉଦ୍ୟାନ ବା ପାର୍କର ଏବେ ଭିଡିଓ ସୁଟିଂ ସହ ସେଲଫି ପଏଂଟ ପାଲଟିଛି ।

ବିଭିନ୍ନ ପ୍ରକାର ଭିଡିଓ ସୁଟିଂ କରିବା ପାଇଁ ଚକାଠାକୁର ଉଦ୍ୟାନକୁ ବାଛୁଛନ୍ତି ଯୁବପୀଢି । ସକାଳୁ ସଂଜ ଯାଏଁ ପାର୍କରେ ଶୁଣିବାକୁ ମିଳୁଛି ଲାଇଟ କ୍ୟାମେରା ଓ ଆକ୍ସନ । ଚିକିଲି ଗାଁର ଶାନ୍ତ ପରିବେଶରେ ଏତେ ସୁନ୍ଦର ପାର୍କ ସ୍ଥାନୀୟ ଲୋକଙ୍କୁ ଆନନ୍ଦ ଦେଉଛି । ଚିକିଲି ସମେତ ଆଖପାଖ ଗାଁରୁ ଲୋକେ ଆସି ପାର୍କରେ ବୁଲାବୁଲି କରୁଛନ୍ତି । ଛୋଟ ପିଲାଙ୍କ ପାଇଁ ଦୋଳି, ସ୍ଲାଇଡିଂ ସହ ବିଭିନ୍ନ ଖେଳ ଉପକରଣ ରହିଛି ।

ଏହି ଉଦ୍ୟାନ ରକ୍ଷଣବେକ୍ଷଣ ଦାୟିତ୍ୱ ଚିକିଲି ପଂଚାୟତ ସରପଂଚ ହରପ୍ରିୟା ଖୁଂଟିଆ ବୁଝୁଥିବା ବେଳେ ଏହାର ସ୍ୱଚ୍ଛତା ପାଇଁ ଦୁଇ ଜଣ ଲୋକଙ୍କୁ ନିୟୋଜିତ କରାଯାଇଛି ।