ଓରମାସ ପକ୍ଷରୁ ଗାଁ ଆମ୍ବ ପସରା କାର୍ଯ୍ୟକ୍ରମ, ଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋ

329

କନକ ବ୍ୟୁରୋ: ସହରରେ ଗାଁ ଆମ୍ବର ପସରା । ଓରମାସ ପକ୍ଷରୁ ଆଜି ଗାଁ ଆମ୍ବ ପସରା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ୧୩ ତାରିଖ ପର୍ଯ୍ୟନ୍ତ ଏହି ଆମ୍ବ ବଜାର ଚାଲିବାକୁ ଥିବା ବେଳେ କାର୍ଯ୍ୟକ୍ରମକୁ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଛନ୍ତି । ଏହି ଅବସରରେ ଓଡ଼ିଶା ଆମ୍ବ ଲୋଗୋ ମଧ୍ୟ ଉନ୍ମୋଚନ ହୋଇଯାଇଛି । ରାଜଧାନୀବାସୀଙ୍କୁ ଚାଷୀ ବଗିଚାର ତାଜା ଆମ୍ବ ଯୋଗାଇ ଦେବା ପାଇଁ ଓରମାସ ପକ୍ଷରୁ ମ୍ୟାଙ୍ଗୋ ଅନ୍ ହ୍ୱିଲ ରାଜଧାନୀରେ ଗଡ଼ିଛି । ୭ଟି ଜିଲ୍ଲାର ଚାଷୀଙ୍କ ବଗିଚାର ଆମ୍ବ ଏହି ମେଳାରେ ମିଳୁଛି । ୬୦ ଟଙ୍କାରୁ ଆରମ୍ଭ କରି ୧୨୦ ଟଙ୍କା ରହିଛି ଆମ୍ବର ଦର । ଦଶେରୀ, ହେମ ସାଗର, ଲେଙ୍ଗଡା, ଆମ୍ବଲ ପଲ୍ଲୀ, ସୁନ୍ଦରୀ, ଅଲ୍ପାନୋସ, ମଲ୍ଲୀକା ଏବଂ ଦେଶୀ ଆମ୍ବ ପସରା ଗୋଟିଏ ସ୍ଥାନରେ ମିଳୁଛି ।

ପରିବେଶ ସୁରକ୍ଷା ସହ ପଲିଥିନ ବ୍ୟବହାର ନକରିବା ପାଇଁ ଓରମାସ ତରଫରୁ କପଡ଼ା ବ୍ୟାଗ ଏବଂ ଝୋଟ ବ୍ୟାଗର ବ୍ୟବସ୍ଥା କରାଯାଇଛି । ଜାତୀୟ ବଜାରରେ ସ୍ୱାଦିଷ୍ଟ ଆମ୍ବ ଉପଲବ୍ଧ କରାଇବା ପାଇଁ ଓରମାସ, ମଦର ଡାଏରୀ, ନାଫେଡ ଓ ରିଲାଏନ୍ସ ସହିତ ସ୍ଥାନୀୟ ଆମ୍ବ ଚାଷୀଙ୍କ ଚୁକ୍ତିନାମା କରି ସେମାନଙ୍କୁ ଓଡ଼ିଶା ଆମ୍ବ ଯୋଗାଇ ଦେଉଛି । ସକାଳ ୮ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଷ୍ଟଲ ଖୋଲା ରହିବ ।