କନକ ବ୍ୟୁରୋ : ଅନ୍ଧାରୀ ମୂଲକର ଗାଁ କଦମଡିହି । ସୁନ୍ଦରଗଡ଼ କୋଇଡ଼ା ବ୍ଲକ ହେଡ଼କ୍ୱାଟର୍ସରୁ ୧୨ କିଲୋମିଟର ଦୂର ପାହାଡ଼ ପାଦ ଦେଶରେ ରହିଛି କଦମଡିହି ଗାଁ । ହେଲେ ଏବେ ବି ଏହି ଗାଁରେ ପହଂଚି ପାରିନି ବିଜୁଳି । ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯିବା ମଧ୍ୟ ଅସମ୍ଭବ । ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ଲୋକଙ୍କ ଶୋଷ ମେଂଟାଉଛି ନଦୀ ଓ ଝରଣା ପାଣି । ବିଜୁଳି, ରାସ୍ତା ସମେତ ପାନୀୟ ଜଳ ଭଳି ମୌଳିକ ସୁବିଧା ପାଇଁ ବର୍ଷ ବର୍ଷ ଧରି ପ୍ରଶାସନ ଠାରୁ ଆରମ୍ଭ କରି ନେତା ଓ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଗୁହାରୀ କରିଛନ୍ତି ଗ୍ରାମବାସୀ । ହେଲେ ନିଦା ବିଷ୍ଣୁ ପାଲଟିଛି ପ୍ରଶାସନ । ଝାଟି ମାଟିର କୁଡ଼ିଆ ଘରେ ରହୁଛନ୍ତି ଗାଁର ଶତାଧିକ ପରିବାର । ସରକାରୀ ଯୋଜନା ଯେମିତି ଏମାନଙ୍କ ପାଇଁ ପାଲଟିଛି ସାତ ସପନ । ବିଜୁଳି ନଥିବାରୁ ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ତରଫରୁ ଗୋଟିଏ ଟ୍ୟାଙ୍କର ଯୋଗାଇ ଦିଆଯାଇଥିଲା । କିନ୍ତୁ ତା’ ବି ବର୍ଷେ ହେଲା ବନ୍ଦ । ସେହିପରି ଗାଁରେ ସ୍କୁଲ ନଥିବାରୁ ପିଲାମାନେ ପାଠ ପଢ଼ିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଂଚାୟତ ଓ ବ୍ଲକ ହେଡକ୍ୱାଟର୍ସକୁ ସଂଯୋଗ କରୁଥିବା ପଥୁରିଆ ରାସ୍ତା ମରାମତି ନହେବା ଯୋଗୁଁ ଅନେକ ଥର ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ରାସ୍ତା ନିର୍ମାଣ କରିଛନ୍ତି । ଲଗାଣ ବର୍ଷାରେ ରାସ୍ତା ଧୋଇ ହୋଇ ବଡ଼ ବଡ଼ ପଥର ଖଣ୍ଡ ବାହାରିପଡ଼ିବାରୁ ସାଇକେଲରେ ଯିବା ତ ଦୂରର କଥା ଚାଲି ଚାଲି ଯିବା ଆସିବା ଅସମ୍ଭବ ହୋଇପଡ଼ିଛି । ରାଜ୍ୟ ରାଜ୍ୟକୋଷକୁ ଏହି ଖଣି ଅଂଚଳରୁ କୋଟି କୋଟି ଟଙ୍କାର ରାଜସ୍ୱ ମିଳୁଥିବାବେଳେ ବିକାଶ ଠାରୁ ଅନେକ ଦୂରରେ ରହିଯାଇଛି ଏହି ଗାଁ ।
ଅନ୍ଧାରୀ ମୂଲକର ଗାଁ କଦମଡିହି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଭଳି ମୌଳିକ ସୁବିଧାରୁ ବଂଚିତ ଗ୍ରାମବାସୀ, ପାନୀୟ ଜଳ ଅଭାବରୁ ଶୋଷ ମେଂଟାଉଛି ନଦୀ ଓ ଝରଣା ପାଣି
/kanak/media/post_attachments/wp-content/uploads/2023/11/47-1.jpg)