ଏକ ରହସ୍ୟମୟ ଗାଁ… ମଣିଷଠୁ ପଶୁପକ୍ଷୀ, ଏଠି ସମସ୍ତେ ଦୃଷ୍ଟିହୀନ । କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

217

କନକ ବ୍ୟୁରୋ : ଦୁନିଆରେ ଏମିତି ଅନେକ ରହସ୍ୟମୟ ଗାଁ ରହିଛି, ଯାହା ବିଷୟରେ ଜାଣିଲେ, ହୁଏତ ସହଜରେ କେହି ବିଶ୍ୱାସ କରିପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ଠିକ୍ ସେମିତି ଏକ ଗାଁ ବିଷୟରେ କହିବୁ । ଏହି ଗାଁର କାହାଣୀ ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ମେକ୍ସିକୋରେ ଅବସ୍ଥିତ ଟିଲ୍ଟେପକ ଗାଁ । ଏହି ଗାଁକୁ ଦୃଷ୍ଟିହୀନଙ୍କ ଗାଁ ବୋଲି ମଧ୍ୟ କୁହାଯାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଗାଁରେ ରହୁଥିବା ସମସ୍ତ ମଣିଷଙ୍କ ସମେତ ପ୍ରତିଟି ପଶୁପକ୍ଷୀ ମଧ୍ୟ ଦୃଷ୍ଟିହୀନ ଅଟନ୍ତି । ଯେଉଁଥିପାଇଁ ଏହି ଗାଁକୁ ଦୁନିଆର ସବୁଠାରୁ ରହସ୍ୟମୟ ଗାଁ ଭିତରେ ବିବେଚନା କରାଯାଏ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗାଁରେ ଜାପୋଟେକ୍ ଜନଜାତିର ଲୋକମାନେ ରହିଥାନ୍ତି । କୁହାଯାଏ, ଏହି ଗାଁରେ ଯେତେବେଳେ ଜଣେ ଛୁଆଟିଏ ଜନ୍ମ ହୁଏ, ସେତେବେଳେ ସେ ବିଲକୁଲ ଠିକଠାକ୍ ଥାଏ । କିନ୍ତୁ ଜନ୍ମ ହେବାର କିଛି ଦିନ ପରେ ହିଁ, ପିଲାଟିର ଦୃଷ୍ଟିଶକ୍ତି ଚାଲିଯାଇଥାଏ । ଏବଂ ସମସ୍ତଙ୍କ ପରି ସେ ବି ହୋଇଯାଏ ଦୃଷ୍ଟିହୀନ ।

ତେବେ ଗାଁର ଲୋକେ ଦୃଷ୍ଟିହୀନ ହେବାର କାରଣ ଏକ ଗଛ ବୋଲି ମାନନ୍ତି । ଗାଁ ଲୋକଙ୍କ କହିବା ଅନୁଯାୟୀ, ଗାଁରେ ଏକ ଲାବଜୁଏଲା ନାମକ ଅଭିଶପ୍ତ ଗଛ ରହିଛି । ଆଉ ଏହି ଗଛକୁ ଦେଖିବା ପରେ ମଣିଷଙ୍କ ଠାରୁ ଆରମ୍ଭ କରି ପଶୁପକ୍ଷୀ ସମସ୍ତେ ଦୃଷ୍ଟି ଶକ୍ତି ହରାଇବସନ୍ତି । ତେବେ ବୈଜ୍ଞାନିକମାନେ ଗାଁ ଲୋକଙ୍କ କଥାକୁ ବିଶ୍ୱାସ କରିନାହାନ୍ତି । ବୈଜ୍ଞାନିକଙ୍କ କହିବା କଥା, ଗାଁଲୋକଙ୍କ ଦୃଷ୍ଟିଶକ୍ତି ଚାଲିଯିବା ପଛରେ କୌଣସି ଗଛ କାରଣ ନୁହେଁ, ବରଂ ଏକ ଖତରନାକ ଏବଂ ବିଷାକ୍ତ କୀଟ କାରଣରୁ ଏଭଳି ହେଉଥାଇପାରେ ।

ବୈଜ୍ଞାନିକଙ୍କ କହିବା କଥା, ଏକ ସ୍ୱତନ୍ତ୍ର ପ୍ରଜାତିର ବିଷାକ୍ତ କୀଟ କାମୁଡିବା କାରଣରୁ ଲୋକଙ୍କ ଦୃଷ୍ଟିଶକ୍ତି ଚାଲିଯାଉଛି । ତେବେ ଗାଁର ସବୁ ଲୋକ ଚାଳଛପର ଘରେ ରୁହନ୍ତି । ଗାଁରେ ପାଖାପାଖି ୭୦ଟି ଚାଳଛପର ଘର ରହିଛି । ଆଉ ଏଥିରେ ପାଖାପାଖି ୩୦୦ ଲୋକ ବସବାସ କରନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗାଁର କୌଣସି ବି ଘରେ ଝରକା ନାହିଁ । ଆଉ ଏହି ସମସ୍ତ ଗାଁ ଲୋକେ ଦୃଷ୍ଟିହୀନ ଅଟନ୍ତି ।