କନକ ବ୍ୟୁରୋ: ଗାଁ ଗହଳିର ଚାଷୀ ପାଲଟିଛନ୍ତି ଓୟୁଏଟି ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷକ । ୩୦ ବର୍ଷ ହେଲା ଛତୁ ଚାଷ ସହ ଛତୁ ମଞ୍ଜି ଉତ୍ପାଦନ କରୁଥିବା ପିପିଲି ଦାଣ୍ଡମୁକୁନ୍ଦପୁର ଅଞ୍ଚଳର ସନ୍ତୋଷ କୁମାର ମିଶ୍ର ଦେଉଛନ୍ତି ପ୍ରଶିକ୍ଷଣ । କେବଳ ଓଡ଼ିଶା ନୁହେଁ ଅନେକ ରାଜ୍ୟକୁ ସେ ଛତୁ ମଞ୍ଜି ରପ୍ତାନି କରୁଛନ୍ତି । ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, କେରଳ ଓ ମଧ୍ୟ ପ୍ରଦେଶକୁ ରପ୍ତାନୀ ହେଉଛି ତାଙ୍କ ଛତୁ ମଞ୍ଜି । ପାଖାପାଖି ୧୦ ହଜାରରୁ ଅଧିକ ପିଲାଙ୍କୁ ପ୍ରଶିକ୍ଷଣ ଦେଲେଣି ସନ୍ତୋଷ । ସବୁଠାରୁ ବଡ଼ କଥା ହେଉଛି ବିନା ପାରିଶ୍ରମିକରେ ସେ ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦିଅନ୍ତି । ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ ଜ୍ଞାନ ଦେବା ସହ ତାଙ୍କ ଠାରୁ ଥିଓରୀ ମଧ୍ୟ ସେ ଶିଖିଥାଆନ୍ତି । ଆଉ ଏଥିରେ ତାଙ୍କୁ ଆତ୍ମସନ୍ତୋଷ ମିଳିଥାଏ । ଛତୁ ମଞ୍ଜି ଉତ୍ପାଦନ ବିଷୟରେ ଜାଣିବା ସହ ଦରକାର ସମୟରେ କିପରି ଛତୁ ଚାଷ କରି ଆତ୍ମନିର୍ଭର ହୋଇପାରିବେ ସେନେଇ ଶିକ୍ଷା ଗ୍ରହଣ କରୁଛନ୍ତି ଛାତ୍ରଛାତ୍ରୀ ।

Advertisment

ଛତୁ ଚାଷ ପାଇଁ ପ୍ରଥମେ ଶୁଖିଲା ଛଣକୁ ଛୋଟ ଛୋଟ ଖଣ୍ଡ କରି କାଟିବା ପରେ ପାଣିରେ ୧୨ ଘଂଟା ବୁଡ଼ାଇ ରଖାଯାଇଥାଏ । ପରେ ଏହାକୁ ସାଇଜ କରି ସେଥିରେ ଗହମରେ ପ୍ରସ୍ତୂତ ହୋଇଥିବା ମଂଜିକୁ ରଖାଯାଏ । ୩ଦିନ ପର୍ଯ୍ୟନ୍ତ ଜରି ପାଲ ଘୋଡ଼ାଇ ରଖିବା ପରେ ଛତୁରୁ କଢ଼ ହୋଇଥାଏ । ଯାହା ବର୍ତମାନ ବଜାର ଦାମ୍ରେ ଏକ କିଲୋକୁ ୨୫୦ ଟଙ୍କାରେ ବିକ୍ରି ହେଉଛି । ଏହାକୁ ପେସା କରି ଅଧିକାଂଶ ଲୋକ ଲାଭବାନ ହେଉଛନ୍ତି ।

ତେବେ ଆଗାମୀ ଭବିଷ୍ୟତର ସରକାରୀ ଭାର ତୁଲାଇବାକୁ ଯାଉଥିବା କୃଷି ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ନିଜ ଗାଁରେ ପ୍ରଶିକ୍ଷଣ ଦେଉଛନ୍ତି ସନ୍ତୋଷ । ତାଙ୍କ ଠାରୁ ପ୍ରଶିକ୍ଷଣ ପାଇଥିବା ଅନେକ ଛାତ୍ରଛାତ୍ରୀ ଏବେ ସରକାରୀ ସ୍ତରରେ ଚାକିରି ମଧ୍ୟ କରିଛନ୍ତି । ଯାହା ତାଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।