ଛାଡ଼ିଗଲା ମଂଚ, ଉଡିଗଲା ଶାଗୁଣା । ଯାତ୍ରା ଜଗତର ସୁପରଷ୍ଟାର ମହେନ୍ଦ୍ର ଦାସଙ୍କ ପରଲୋକ, କଟକ ଚୌଦ୍ୱାରରେ ହୃଦଘାତରେ ଦେହାନ୍ତ :ନମହେନ୍ଦ୍ର ଦାସଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା ଭିକୁ ସେଠ ଚରିତ୍ର, ଅଭୁଲା ରହିବ ଅଭିନୟ

303

କନକ ବ୍ୟୁରୋ : ଯାତ୍ରା ଜଗତର ଅଦ୍ୱିତୀୟ ଅଭିନେତା ମହେନ୍ଦ୍ର ଦାସ ଓରଫ ଭିକୁ ସେଠଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ହୋଇଥିଲା । ହୃଦଘାତରେ ସେ ପ୍ରାଣ ହରାଇଛନ୍ତି । ଚଳିତବର୍ଷ ସେ ପାର୍ବତୀ ଗଣନାଟ୍ୟରେ ଅଭିନୟ କରିବା ପାଇଁ ଅନୁବନ୍ଧିତ ହୋଇଥିଲେ । ତେବେ କରୋନା ପାଇଁ ରିହର୍ସସଲ ଆରମ୍ଭ ହୋଇପାରିନଥିଲା । ଶାଗୁଣା ବସିଛି ଡେଣା ମେଲାଇ ନାଟକରେ ଭିକୁ ସେଠ ଚରିତ୍ରରେ ଅଭିନୟ କରି ସେ ଖାଲି ଯାତ୍ରା ଦୁନିଆ କାହିଁକି ଓଡିଶାର ଘରେ ଘରେ ପରିଚିତ ହୋଇପାରିଥିଲା । କଳିଙ୍ଗ ଗଣନାଟ୍ୟରେ ବେଶ ବର୍ଷ ବର୍ଷ ଧରି କାମ କରିଥିଲେ ମହେନ୍ଦ୍ର । ୩୦ବର୍ଷର ଏହି ଯାତ୍ରାରେ ଆଜି ପୁର୍ଣ୍ଣଚ୍ଛେଦ ପଡିଛି ।

୯୦ ଦଶକରେ ପିଲାଟୁ ବୁଢା ସମସ୍ତଙ୍କ ମୁହଁରେ ଥିଲା ଏହି ଡାଏଲଗ । ଯାତ୍ରା ଦୁନିଆର ବେତାଜ ବାଦଶାହା ମହେନ୍ଦ୍ର ଦାସ ଓରଫ ଭିକୁ ସେଠଙ୍କୁ ଘରେ ଘରେ ପରିଚିତ କରାଇଥିଲା ଏହି ସଂଳାପ । ସେତେବେଳେ  ଶାଗୁଣା ବସିଛି ଡେଣା ମେଲେଇ ନାଟକ ଯେତିକି ହିଟ ହୋଇଥିଲା ତା ଠାରୁ ଅଧିକ ହିଟ ହୋଇଯାଇଥିଲେ ମହେନ୍ଦ୍ର ଦାସ ଓରଫ ଭିକୁ ସେଠ ଆଉ ଶୁଭିବନି ଭିକୁ ସେଠଙ୍କ ଏହି ଡାଏଲଗ । ମଂଚରେ ଆଉ ଶୁଣିବାକୁ ମିଳିବନି ଭିକୁ ସେଠଙ୍କ ଚିରସବୁଜ ସଂଳାପ । ସବୁଦିନ ପାଇଁ ନିଶବ୍ଦ ହୋଇଯାଇଛି ମିନାକୁ ଡାକୁଥିବା ସ୍ୱର ।

ଯାତ୍ରା ଜଗତର ଏହି ଅମ୍ଲାନ ପ୍ରତିଭା ଏବେ ଆରପାରିରେ । ହୃଦଘାତରେ ମାତ୍ର ୫୫ବର୍ଷରେ ମୃତ୍ୟୁବରଣ କରିଛନ୍ତି ମହେନ୍ଦ୍ର ଦାସ ଓରଫ ଭିକୁ ସେଠ ।

୧୯୮୪ରୁ ୧୯୮୫ ମସିହା ମଧ୍ୟରେ ଯାତ୍ରା ଦୁନିଆରେ ପାଦ ଥାପିଥିଲେ ମହେନ୍ଦ୍ର । ପ୍ରଥମ ନାଟକ ଥିଲା ଆକାଶ କଇଁଆ ଚିଲିକା ମାଛ । କିନ୍ତୁ ୧୯୯୧ ମସିହାରେ ଜନତା ଗଣନାଟ୍ୟର ନାଟକ ଶାଗୁଆ ବସିଛି ଡେଣା ମେଲାଇ ଇତିହାସ ସୃଷ୍ଟି କରିଥିଲା । ଯାତ୍ରା ଜଗତରେ ସ୍ୱତନ୍ତ୍ର ପରିଚୟ ପାଇଥିଲେ ମହେନ୍ଦ୍ର । ମହେନ୍ଦ୍ରଙ୍କ ଅଭିନୀତ ଅନା ନାଟକ ଗୁଡିକ ହେଲା କନ୍ୟାଦାନ ମହାପୁଣ୍ୟ, କାଳିଆ ଆଖିରେ ଲୁହ, ଭକ୍ତ ସାଲବେଗ , ଅନ୍ଧଦେଶେ ଗଲି ଦର୍ପଣ ବିକି ।

ପୁରୀ ଜିଲ୍ଲା ଚନ୍ଦନପୁରରେ ଜନ୍ମ ହୋଇଥିବା ମହେନ୍ଦ୍ରଙ୍କ ପିଲାଟି ଦିନରୁ ଅଭିନୟ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା । ପ୍ରଥମେ ଗାଁରେ ଡ୍ରାମା ଏବେ ପରେ ପରେ ଯାତ୍ରା ଦୁନିଆକୁ ଆସି ଚିତାକର୍ଷକ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ତାଙ୍କର ବିୟୋଗରେ ଓଡିଶାର ଯାତ୍ରା ଜଗତରେ ଏକ ବଡ ଅପୁରଣୀୟ ଶୁନ୍ୟସ୍ଥାନ ସୃଷ୍ଟି ହୋଇଛି ।