ବର୍ଷାଦିନିଆ ବେଙ୍ଗ ହେଉଛନ୍ତି କଙ୍ଗନା, ନିର୍ବାଚନ ସରିଲେ ମୁମ୍ବାଇ ଚାଲିଯିବେ । ବିଜେପି ପ୍ରାର୍ଥୀ କଙ୍ଗନାଙ୍କ ଉପରେ ବର୍ଷିଲେ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ।

208

କନକ ବ୍ୟୁରୋ : ନିର୍ବାଚନୀ ମାହୋଲ ଭିତରେ ବୟାନବାଜିକୁ ଅନେକ ସମୟରେ ରାଜନୀତି ରୋଚକ ହୁଏ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ହିମାଚଳପ୍ରଦେଶ ମଣ୍ଡି ଆସନରେ ରୋଚକ ହୋଇଛି ନିର୍ବାଚନ ରାଜନୀତି । କଂଗ୍ରେସ ପକ୍ଷରୁ ବିକ୍ରମାଦିତ୍ୟ ସିଂ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ । ଏହା ଭିତରେ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ, କଙ୍ଗନାକୁ ବର୍ଷା ଦିନିଆ ବେଙ୍ଗ ବୋଲି କହିବାକୁ ପଛାଇ ନାହାନ୍ତି ।

କୁଲ୍ଲୁର ଏକ ସଭାରେ ବିକ୍ରମାଦିତ୍ୟ କହିଛନ୍ତି, କଙ୍ଗନା ହେଉଛନ୍ତି ବର୍ଷାଦିନିଆ ବେଙ୍ଗ । ସେ ଆଜି ମଣ୍ଡିରେ ଅଛନ୍ତି କାଲି ମୁମ୍ବାଇ ଚାଲିଯିବେ । ଠିକ୍ ବର୍ଷା ଦିନରେ ଆସୁଥିବା ବେଙ୍ଗଙ୍କ ଭଳି । ନିର୍ବାଚନ ପ୍ରଚାର ସମୟରେ କଙ୍ଗନା ଯାହା କରୁଛନ୍ତି ଲାଗୁଛି ଯେମିତି ଫିଲ୍ମ ସୁଟିଂ କରୁଛନ୍ତି । ବେଶଭୂଷା ବଦଳାଇ ଦେଲେ କେହି ସ୍ଥାନୀୟ ଲୋକଙ୍କ ହୃଦୟ ଜିତିପାରିବେନି କି ସ୍ଥାନୀୟ ଲୋକଙ୍କ ସମସ୍ୟା ବୁଝିପାରିବେନି । ହିମାଚଳପ୍ରଦେଶରେ ଏବେ ପାଣିପାଗ ଭଲ ଅଛି ତେଣୁ ଏହାର ମଜା ନେବାକୁ କଙ୍ଗନା ଏଠାକୁ ଆସିଛନ୍ତି । ୨ରୁ ୩ ମାସ ପରେ ପୁଣିଥରେ ନିଜ ବ୍ୟାଗ ବସ୍ତାନୀ ଧରି କଙ୍ଗନା ମୁମ୍ବାଇ ଫେରିଯିବେ । ଯେହେତୁ ଏବେ ତାଙ୍କର ଫିଲ୍ମ ଭଲ ଚାଲୁନି ସେଥିପାଇଁ ହିମାଚଳ ଛୁଟି କାଟିବାକୁ ଆସିଛନ୍ତି ।

ମଣ୍ଡି ଆସନରୁ ଗତ ୨ଟି ନିର୍ବାର୍ଚନରେ ବାଜିମାତ କରିଛି ବିଜେପି । ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଦଳ ଏଠାରେ କଙ୍ଗନାଙ୍କୁ ପ୍ରାର୍ଥୀ କରିଛି । କିନ୍ତୁ ମଣ୍ଡିରେ ଚଳିତଥର ବିଜୟ ହାସଲ କରିବା ବିଜେପି ପାଇଁ ସହଜ ହେବ ନାହିଁ । କାରଣ କଙ୍ଗନାଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି ବିକ୍ରମାଦିତ୍ୟ ସିଂ । ପୂର୍ବରୁ ଏହି ଆସନରେ ବିକ୍ରମାଦିତ୍ୟଙ୍କ ବାପା ଓ ମା’ ନିର୍ବାଚନ ଜିତି ସାରିଛନ୍ତି ।