ହିମାଚଳପ୍ରଦେଶ ରାଜନୀତିରେ ହଲଚଲ । କଂଗ୍ରେସ ସରକାରରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିକ୍ରମାଦିତ୍ୟ, କାନ୍ଦି କାନ୍ଦି କହିଲେ ଖୁବଶୀଘ୍ର ସମର୍ଥକଙ୍କ ସହ ଆଲୋଚନା ପରେ ନେବି ନିଷ୍ପତ୍ତି ।

331

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନରେ ଆବଶ୍ୟକୀୟ ସଂଖ୍ୟା ଥାଇ ମଧ୍ୟ କଂଗ୍ରେସ ହାତରୁ ବିଜୟ ଛଡାଇନେଇଛି ବିଜେପି । ଏହାପରେ ହିମାଚଳପ୍ରଦେଶ ରାଜନୀତିରେ ହଟଚମଟ ଦେଖାଦେଇଛି । ଗୋଟିଏ ପଟେ ୧୫ ବିଜେପି ବିଧାୟକଙ୍କୁ ବିଧାନସଭାରୁ ବାଚସ୍ପତି ସସପେଣ୍ଡ କରିଥିବା ବେଳେ ଅନ୍ୟପଟେ କଂଗ୍ରେସ ସରକାରରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମାଦିତ୍ୟ ସିଂ । ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି ବିକ୍ରମାଦିତ୍ୟ ।

ମନ୍ତ୍ରୀପଦରୁ ଇସ୍ତଫା ଦେବା ସହ ଭାବୁକ ହୋଇ ବିକ୍ରମାଦିତ୍ୟ କହିଛନ୍ତି, ଯେଉଁ ବୀରଭଦ୍ର ସିଂଙ୍କ ନାଁ ନେଇ କଂଗ୍ରେସ ହିମାଚଳପ୍ରଦେଶରେ ସରକାର ଗଢିଲା ସେଠାରେ ତାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ୨ ଗଜ ଜମି ମଧ୍ୟ ଦିଆଗଲାନି । ବୀରଭଦ୍ର ସିଂଙ୍କୁ ଅସମ୍ମାନ କରାଯାଇଛି । ମୁଁ ପଦ ପାଇଁ ଲୋଭ କରିନି କିନ୍ତୁ ଏହି ସରକାରରେ ଯେଉଁ ମିଳିବା କଥା ତାହା ମିଳୁନି । ମୋତେ ଚାପିଦେବାକୁ ଚେଷ୍ଟା କରାଯାଉଛି । ପଦ ନମିଳିଲେ ଚଳିବ କିନ୍ତୁ ଅସ୍ତିତ୍ୱକୁ ନଷ୍ଟ କରିବାକୁ ଯେତେବେଳେ ଉଦ୍ୟମ କରାଯିବ ସେତେବେଳେ ଚୁପ୍ ବସିବୁ କେମିତି?

ସାମ୍ବାଦିକ ସମ୍ମିଳନରେ ବିକ୍ରମାଦିତ୍ୟ କହିଛନ୍ତି, ଏହି ସରକାରରେ ବାରମ୍ବାର ଏଭଳି କୋଣଠେସା କରାଯାଉଥିଲା । ଏନେଇ ଦଳର ହାଇକମାଣ୍ଡକୁ ଜଣାଇଥିଲୁ । କିନ୍ତୁ ଯେଉଁଭଳି ପଦକ୍ଷେପ ନିଆଯିବା କଥା ତାହା ନିଆଗଲାନି । ତେଣୁ ଏବେ ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି । ମୋତେ ଯେଉଁ ଦାୟିତ୍ୱ ମିଳିଥିଲା ତାହାକୁ ସୂଚାରୁ ରୂପେ ତୁଲାଇଥିଲି । କିନ୍ତୁ ଏ ସରକାରରେ ବିଧାୟକଙ୍କ ସ୍ୱରକୁ ଚାପିବାକୁ ଉଦ୍ୟମ କରାଯାଉଥିଲା । ମୁଁ ଜାଣିଛି ମୋର ଲକ୍ଷ୍ମଣରେଖା କେଉଁଠି? ଠିକ୍ କଥାକୁ ସମର୍ଥନ ଏବଂ ଭୁଲ କଥାକୁ ବିରୋଧ କରିବି । ଏହି ନୀତିରେ ଆଗକୁ ବଢିବି ।