ଚନ୍ଦ୍ରଯାନ -୨ : ଲ୍ୟାଣ୍ଡର୍ ବିକ୍ରମ ଲ୍ୟାଣ୍ଡିଙ୍ଗ୍ ହୋଇଥିବା ସାଇଟ୍ ର ଫଟୋ ଜାରି କଲା ନାସା ! ଛାୟାରେ ଲୁଚିଯାଇଛି ବିକ୍ରମ , ଅକ୍ଟୋବରରେ ମିଳିପାରେ ଖୁସିଖବର । 

2,005

ଆମେରିକା ସ୍ପେଶ୍ ଏଜେନ୍ସୀ (ନାସା) ଭାରତର ମହତ୍ତ୍ୱାକାଂକ୍ଷୀ ମିଶନ୍ ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଙ୍ଗ୍୍ ସାଇଟକୁ ନେଇ ଫଟୋ ଜାରି କରିଛି । ଏହି ଫଟୋକୁ ଆଧାର କରି ନାସା କହିଛି ଯେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍ ବିକ୍ରମର ହାର୍ଡ ଲ୍ୟାଣ୍ଡିଙ୍ଗ୍ ହୋଇଥିଲା । ବିକ୍ରମ ଦ୍ରୁତଗତିରେ ଚନ୍ଦ୍ରମାର ଦକ୍ଷିଣ ପୃଷ୍ଠରେ ଲ୍ୟାଣ୍ଡ୍ କରିଥିଲା ।  ତେବେ ନାସା ପକ୍ଷରୁ ବିକ୍ରମର ଏପର୍ଯ୍ୟନ୍ତ କୌଣସି ଫଟୋ ଜାରି ହୋଇନାହିଁ । କିନ୍ତୁ କୁହାଯାଇଛି ଯେ ଅକ୍ଟୋବରରେ ସେ ଆଉ କିଛି ଫଟୋ ଜାରି କରିବେ ।  ନାସାର ହାଇ ରେଜାଲୁସନ୍ ଫଟୋ ଏହାର ଲୁନର୍ ଅର୍ବିଟର୍ କ୍ୟାମେରା ମାଧ୍ୟମରେ ଉତ୍ତୋଳନ କରାଯାଇଛି । ନାସା ବୈଜ୍ଞାନିକଙ୍କ କହିବାନୁସାର,ଚନ୍ଦ୍ରପୃଷ୍ଠରେ ରାତି ହୋଇଯାଇଛି ଯେଉଁଥିପାଇଁ ଅଧିକାଂଶ ପୃଷ୍ଠରେ କେବଳ ଛାୟା ହିଁ ଦେଖାଯାଉଛି । ଏଭଳି ସ୍ଥିତିରେ ବିକ୍ରମ କେଉଁ ଛାୟାତଳେ ଲୁଚି ଥାଇପାରେ ବୋଲି ମଧ୍ୟ କଳନା କରାଯାଉଛି । ଲ୍ୟାଣ୍ଡର୍ ନ ଦେଖାଯିବାର ଆଉ ଏକ କାରଣ ହେଉଛି ଧୂଳି ।

ନାସା ମୁତାବକ , ତାଙ୍କ ଲୁନାର୍ ଅର୍ବିଟର୍ LRO (The Lunar Reconnaissance Orbiter) ଲ୍ୟାଣ୍ଡିଙ୍ଗ୍ ସାଇଟ୍ ଉପରୁ ସେପ୍ଟେମ୍ବର ୧୭ ତାରିଖରେ ଅତିକ୍ରମ କଲା ଏବଂ ସେଠାକାର ଅନେକ ଫଟୋ ମଧ୍ୟ ଉତ୍ତୋଳନ କଲା । କିନ୍ତୁ ଏହି ଫଟୋରେ ଲ୍ୟାଣ୍ଡର୍ ବିକ୍ରମର କୌଣସି ଖବର ମିଳିଲା ନାହିଁ । ତେବେ ନାସା କହିବାନୁସାରେ , ଅର୍ବିଟର୍ ସନ୍ଧ୍ୟା ସମୟରେ ସେଠାରେ  ଚକ୍କର କାଟୁଥିଲା ଏବଂ ଛାୟା ପଡିବା କାରଣରୁ ଫଟୋ ମଧ୍ୟ ସ୍ପଷ୍ଟ ଉତ୍ତୋଳନ କରିହେଲାନାହିଁ । ଅକ୍ଟୋବରରେ ସେଠାରେ ଉଜ୍ଜ୍ୱଳତା ବଢିବ ଏବଂ ସେତେବେଳେ ବିକ୍ରମକୁ ଖୋଜିବାର ପ୍ରକୃଷ୍ଟ ସମୟ ମଧ୍ୟ ଆସିଯିବ । ସୂତ୍ର ଅନୁସାରେ , ଅକ୍ଟୋବର ୧୪ ତାରିଖରେ ନାସାର ଲୁନାର୍ ଅର୍ବିଟର୍ ଉକ୍ତ ସ୍ଥାନର ପୁଣିଥରେ ଚକ୍କର କାଟିବ ।