ବିବାହ ପୂର୍ବରୁ ବିବାଦରେ ଭିକ୍କି-କ୍ୟାଟ୍ ! ଦୁହିଁଙ୍କ ବିରୋଧରେ ମାମଲା ରୁଜୁ ।

1,229

କନକ ବ୍ୟୁରୋ: ବିବାହ ପୂର୍ବରୁ ବିବାଦରେ ଫଶିଗଲେ ଭିକ୍କି – କ୍ୟାଟ୍ । ତାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ବିବାହ ଓ ପ୍ରି-ୱେଡିଙ୍ଗ କାର୍ଯ୍ୟକ୍ରମରେ ଦୁହେଁ ବ୍ୟସ୍ତ ଥିବାବେଳେ ମାମଲାକୁ ନେଇ ଦୁହିଁଙ୍କ ସମସ୍ୟା ବଢିଯାଇଛି । ଭିକ୍କି-କ୍ୟାଟଙ୍କ ସହ ସିକ୍ସ ସେନ୍ସ ହୋଟେଲ ପରିଚାଳକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ କରିଛନ୍ତି ଜନୈକ ଓକିଲ ।

ଘଟଣା ହେଉଛି , ଆସନ୍ତା ୯ ତାରିଖରେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଚାଲିଛି ପ୍ରିୱେଡିଙ୍ଗ ସରିମନି କାର୍ଯ୍ୟକ୍ରମ  । ଏଥିପାଇଁ ଆଖାପାଖ ଇଲାକାରେ କଡା ସୁରକ୍ଷା ଲାଗି ରହିଛି । ହେଲେ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକେ । କାରଣ  ଯେଉଁ ସ୍ଥାନରେ ଏହି ବିବାହ ଅନୁଷ୍ଠିତ ହେବ ତା ପରିସରରେ ଆସୁଛି ମା’ ଚୌଥ ମାତାଙ୍କ ମନ୍ଦିର । ଏହା ଏକ ଐତିହାସିକ ମନ୍ଦିର । ଏଠାକୁ ପ୍ରତ୍ୟହ ଶହଶହ ଶ୍ରଦ୍ଧାଳୁ ଦର୍ଶନ ପାଇଁ  ଆସିଥାନ୍ତି । ହୋଟେଲ ସିକ୍ସ ସେନ୍ସ ହୋଟେଲକୁ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ରଖାଯାଇଥିବାରୁ ଚୌଥ ମାତାଙ୍କ ରାସ୍ତାକୁ ମଧ୍ୟ ଡିସେମ୍ବର ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଏତେ ଦିନ ଯାଏଁ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନରୁ ବଞ୍ଚିିତ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାକୁ ନେଇ ଭିକ୍କି, କ୍ୟାଟ୍ରିନାଙ୍କ ସମେତ ହୋଟେଲ ମ୍ୟାନେଜରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଜନୈକ ଓକିଲ  । ମା’ଙ୍କ ମନ୍ଦିରକୁ ତୁରନ୍ତ ଖାଲି କରାଯିବାକୁ ନିଜ ଦାଏର ପିଟିସନରେ ଅନୁରୋଧ କରିଛନ୍ତି ।