ଗୁଳି ଖାଇଲା ଗ୍ୟାଙ୍ଗଷ୍ଟର, ୟୁପିର ମୋଷ୍ଟୱାଣ୍ଟେଡ୍ ବିକାଶ ଦୁବେକୁ ଏନକାଉଣ୍ଟର । ଉଜ୍ଜୟିନୀରୁ କାନପୁର ଯିବା ବାଟରେ ଖସି ଯିବାକୁ ଉଦ୍ୟମ ବେଳେ ପୁଲିସ୍ ଗୁଳି ଗଲା ଜୀବନ । କାନପୁରର କଳା କାହାଣୀରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଏନକାଉଣ୍ଟରକୁ ନେଇ ଉଠିଲା ପ୍ରଶ୍ନ ।

262

କନକ ବ୍ୟୁରୋ: ୟୁପିର ସବୁଠୁ ବଡ ଗ୍ୟାଙ୍ଗଷ୍ଟରର ଏନକାଉଂଟର । ୮ ପୋଲିସ କର୍ମଚାରୀଙ୍କ ହତ୍ୟାକାରୀର ମୃତ୍ୟୁ । ୫ ଲକ୍ଷ ଟଙ୍କାର ପୁରସ୍କାର ଥିବା ବିକାଶ ଦୁବେର ଦେହାନ୍ତ । ୭ ଦିନ ଭିତରେ କାନପୁର କାଣ୍ଡର ରାସ୍ତାରେ ନ୍ୟାୟ! କାନପୁରରେ କୋର୍ଟ ପହଂଚିବା ପୂର୍ବରୁ ପୋଲିସ ଗୁଳିଲେ ଟଳିପଡିଲା କୁଖ୍ୟାତ ଅପରାଧୀ ବିକାଶ ଦୁବେ । ୮ ପୋଲିସ କର୍ମଚାରୀଙ୍କ ହତ୍ୟାର ଅଭିଯୁକ୍ତକୁ ଏନକାଉଂଟର କରିଛି କାନପୁର ଏସଟିଏଫ ।

ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେର ଏନକାଉଂଟର ହୋଇଛି ବିଲକୁଲ ବଲିଉଡ ଫିଲ୍ମ ଷ୍ଟାଇଲରେ । ୮ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ଏହି ଗ୍ୟାଙ୍ଗଷ୍ଟରର ପୋଲିସ ଗୁଳିରେ ପ୍ରାଣ ଯିବ ବୋଲି ପୂର୍ବରୁ ହିଁ ଆଶଙ୍କା କରାଯାଉଥିଲା । କାରଣ ଅତି ନାଟକୀୟ ଢଙ୍ଗରେ ପୋଲିସର ଗାଡି ପଲଟିଗଲା । ବିକାଶ ଦୁବେ ପୋଲିସର ବନ୍ଧୁକ ଛଡାଇ ଫେରାର ହୋଇଯିବାକୁ ଚେଷ୍ଟା କରୁଥିଲା । ପୋଲିସ ଆତ୍ମସମର୍ପଣ ପାଇଁ କହିଲା, ହେଲେ ସେ ପୋଲିସ ଉପରକୁ ଗୁଳିକଲା । ଆଉ ଜବାବରେ ପୋଲିସ ତାକୁ ଏନକାଉଂଟର କଲା ।

୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ବିକାଶ ଦୁବେର ମୃତ୍ୟୁ ଉପରେ ହୁଏତ କେହି ପ୍ରଶ୍ନ ଉଠାଉ ନାହାନ୍ତି । ହେଲେ ଯେଭଳି ବିକାଶ ଦୁବେକୁ ଏନକାଉଂଟର କରାଗଲା, ତାହା ଅତି ନାଟକୀୟ ମନେ ହେଉଛି । ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ସାଙ୍ଗରେ ଧରି ପୋଲିସ କାନପୁର ଆସୁଥିଲା । ଉଜୈନରୁ ପୋଲିସର ଏକାଧିକ ଗାଡି ଏହି କୁଖ୍ୟାତ ଅପରାଧୀକୁ ଧରି ରାତିତମାମ ଚାଲିଥିଲା । ସକାଳୁ ସକାଳି ଉତରପ୍ରଦେଶ ପୋଲିସର ସ୍ପେଶାଲ ଟାସ୍କଫୋର୍ସ- ଏସଟିଏଫ ଟିମ୍ କାନପୁରରେ ପହଂଚିବାକୁ ଆହୁରି ବାକିଥିଲା । ଜୋରଦାର ବର୍ଷା ହେଉଥିଲା । ଆଉ ଏତିକିବେଳେ କାନପୁର ସୀମା ନିକଟ ସାଚେନ୍ଦିରେ ବିକାଶ ଦିବେ ବସିଥିବା ପୋଲିସ ଗାଡି ଓଲଟିଗଲା । ଦୁର୍ଘଟଣାରେ ବିକାଶ ଦୁବେ ଓ ପୋଲିସକୁ ଆଘାତ ଲାଗିଥିଲା । ତଥାପି ବିକାଶ ପୋଲିସଠାରୁ ବନ୍ଧୁକ ଛଡାଇ ଖସି ପଳାଇଯିବାକୁ ପ୍ରୟାସ କଲା । ଅନ୍ୟ ଗାଡିରେ ସବାର ପୋଲିସ କର୍ମଚାରୀ ତାକୁ ଚାରିପଟୁ ଘେରିଗଲେ । ବନ୍ଧୁକ ତଳେ ରଖି ଆତ୍ମସମର୍ପଣ କରିବା ପାଇଁ କୁହାଗଲା । ହେଲେ ସେ ପୋଲିସ ଉପରକୁ ଗୁଳି କରିବାରୁ, ଅନ୍ଧାଧୁନ ଗୁଳିମାଡ କଲେ ପୋଲିସ କର୍ମଚାରୀ ।

ହେଲେ ଏହି ପୁରା ଏନକାଉଂଟର ଉପରେ ସନ୍ଦେହ ସୃଷ୍ଟି କରୁଛି ୟୁପି ପୋଲିସ ଏସଟିଏଫର କାର୍ଯ୍ୟଶୈଳୀ । କାରଣ ବିକାଶ ଦୁବେକୁ ନେଇ ଆସୁଥିବା ଗାଡି ଶୁକ୍ରବାର ସକାଳ ପ୍ରାୟ ୬ଟା ୩୦ରେ କାନପୁର ସୀମା ଭିତରକୁ ପଶିଲାବେଳେ ବ୍ୟାପକ ନାକାବନ୍ଦୀ କରି ଅନ୍ୟ ଘରୋଇ ଗାଡିଗୁଡିକୁ ସୀମାରେ ଅଟକାଇ ଦିଆଯାଇଥିଲା । ମିଡିଆ ଗାଡିକୁ ମଧ୍ୟ କାନପୁର ଭିତରକୁ ପ୍ରବେଶ କରିବାକୁ ଦିଆଯାଇ ନଥିଲା । ହେଲେ ଏହାର ଅଧଘଂଟାରୁ ୪୦ ମିନିଟ ଭିତରେ ପୁରା ଘଟଣା ଘଟିସାରିଥିଲା । ଅର୍ଥାତ ଏହି ସମୟରେ ପୋଲିସ ଗାଡି ଓଲଟିଲା ଓ ବିକାଶ ଦୁବେ ଖସିଯିବାକୁ ଉଦ୍ୟମ କଲାବେଳେ ତାକୁ ଏନକାଉଂଟର କରାଗଲା । ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଖେଳ ଶେଷ କାରିଥିଲା ୟୁପି ପୋଲିସ ।