କନକ ବ୍ୟୁରୋ : ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ଟଙ୍କାର ଗଣତି ସରୁନି । ଆଜି ବି ଜାରି ରହିଛି ଟଙ୍କା ଗଣତି । ବଲାଙ୍ଗୀରରେ ଏବେ ଟଙ୍କା ଗଣତି ଚାଲିଛି । ବଲାଙ୍ଗୀର ଏସବିଆଇ ଶାଖା ରିଜିଓନାଲ ମ୍ୟାନେଜର ଭଗତ ବେହେରାଙ୍କ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧୭୬ ପ୍ୟାକେଟ ନୋଟ୍ ଜବତ ହୋଇଛି । ତାଭିତରୁ ୪୦ଟି ପ୍ୟାକେଟ ଗଣତି ସରିଛି । ସେଥିରୁ ପ୍ରାୟ ୪୬ କୋଟି ଟଙ୍କା ବାହାରିଛି । କାଲିଠୁ ଦୁଇ ଦିନ ଛୁଟି ଥିବା ବେଳେ କାମରେ ଦ୍ରୁତରେ କରାଯାଉଛି । ୨୫ଟି ମେସିନ୍ ସାଙ୍ଗକୁୁ ୫୦ ଜଣ ଷ୍ଟାଫଙ୍କୁ ରଖାଯାଇଛି । ଆଉ କିଛି ମେସିନ୍ ମଧ୍ୟ ମଗାଯାଇଛି । ଅନୁଗୁଳରୁ କିଛି ମେସିନ ମଧ୍ୟ ବଲାଙ୍ଗୀରରେ ପହଂଚିଛି । ମେସିନ୍ ଗଣତି ବେଳେ ଖରାପ ହେଲେ ଅନ୍ୟ ମେସିନ ସବୁ ବ୍ୟାକଅପ୍ କରି ରଖାଯାଇଛି । ବ୍ୟାଗରେ ଶହେ ଟଙ୍କିଆରୁ ନେଇ ୫ଶହ ଟଙ୍କିଆ ପର୍ଯ୍ୟନ୍ତ ରହିଛି । ସେଥିପାଇଁ ସଠିକ୍ ମୂଲ୍ୟ ନିର୍ଦ୍ଧାରଣ କରାଯାଇପାରିବନି । ସଠିକ୍ ଭାବେ ମୂଲ୍ୟ କୁହାଯାଇପାରିବନି । ଏତେ ପରିମାଣରେ ଟଙ୍କ ମିଳୁଛି ଯେ ଗଣିବା ପାଇଁ ମେସିନ ମଧ୍ୟ ନିଅଂଟ ପଡ଼ୁଛି । ସେଥିପାଇଁ ବାରମ୍ବାର ଅଧିକ ମେସିନ ମଗାଯାଉଛି । ସେପଟେ ବଲାଙ୍ଗୀରରେ ପହଂଚିଛି ହାଇଦ୍ରାବାଦର ୨୫ ଜଣିଆ ଆନାଲିସିସ୍ ଟିମ୍ । ଏମାନେ ଚଡାଉ ହେଉଥିବା ସ୍ଥାନରେ କମ୍ପ୍ୟୁଟରର ଯାଂଚ କରିବେ । ଟଙ୍କା ନେଣଦେଣ ତର୍ଜମା କରିବେ । ସେହିପରି ବଡ଼ ଚଢାଉ ପାଇଁ ଆୟକର ବିଭାଗର ୧୫୦ ଜଣ ଅଧିକାରୀ ସାମିଲ ହୋଇଛନ୍ତି । ଏମାନେ ବିଭିନ୍ନ ସ୍ଥାନରେ ଚଢାଉରେ ସାମିଲ ହୋଇଛନ୍ତି । ଗତକାଲି ବଲାଙ୍ଗୀର ସୁଦପଡା ମଦଭାଟି ମ୍ୟାନେଜରଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଥିଲା । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ ବେଳେ ପ୍ରାୟ ୫୦ କୋଟି ଟଙ୍କା ଜବତ ହୋଇଛି । କଡା ସୁରକ୍ଷାରେ ଜବତ ଟଙ୍କାକୁ ୧୯ଟି ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଭର୍ତି କରି ଏସବିଆଇ ଶାଖାକୁ ନିଆଯାଇଛି । ଟଙ୍କା ପେଟି ବୋହିବାକୁ ୭ରୁ ୮ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଟଙ୍କା ଗଣିବା ସମୟରେ ମେସିନ୍ ଅଚଳ ହୋଇଥିବା ଜଣାପଡ଼ିଛି । ସେଥିପାଇଁ ଆୟକର ବିଭାଗ ଅଧିକ ମେସିନ୍ ଓ କର୍ମଚାରୀ ମଗାଇଛି । ସେପଟେ ଟିଟଲାଗଡ଼ରୁ ମିଳିଛି ଆଉ ୧୧ କୋଟି ଟଙ୍କା । ଟିଟିଲାଗଡ଼ ଏସବିଆଇ ମୁଖ୍ୟ ଶାଖାରେ ଗଣତି ଶେଷ ହୋଇଛି । ୫ଶହ, ୨ଶହ ଓ ଶହେ ଟଙ୍କିଆ ନୋଟ୍ ମିଳିଛି । ଆସନ୍ତାକାଲି ସୁଦ୍ଧା ଟଙ୍କା ଗଣତି ଶେଷ ହେବା ନେଇ ଆଶା ରହିଛି । ଏବେ ସମ୍ବଲପୁର ଓ ବଲାଙ୍ଗିରରେ ଟଙ୍କା ଗଣତି ଚାଲିଥିବା କହିଛନ୍ତି ସମ୍ବଲପୁର ଏସବିଆଇ ଉପ- ମହାପ୍ରବନ୍ଧକ । ସେପଟେ ସୁନ୍ଦରଗଡ଼ରେ ଆଜି ଟଙ୍କା ଗଣତି ଶେଷ ହୋଇଛି ।

Advertisment