ଆଉ ମିଳିବନି ବିଜୟନଙ୍କ ଗରମାଗରମ ଚା’ । ଚା’ ବିକି ରଚିଥିଲେ ବିଶ୍ୱ ଭ୍ରମଣ ରେକର୍ଡ

309

କନକ ବ୍ୟୁରୋ: କେରଳର ବିଶ୍ୱ ପ୍ରସିଦ୍ଧ ଚା’ ବିକାଳି ଆଉ ନାହାଁନ୍ତି । ଚା’ ବିକି ବିଶ୍ୱ ଭ୍ରମଣ କରିବାର ରେକର୍ଡ ସୃଷ୍ଟି କରିଥିବା କେ.ଆର ବିଜୟନଙ୍କର ୭୧ ବର୍ଷ ବୟସରେ ପରଲୋକ ହୋଇଛି । ହୃଦଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ଦିନ ତାଙ୍କର ପରଲୋକ ହୋଇଥିବା ତାଙ୍କ ନାତି ସୂଚନା ଦେଇଛନ୍ତି ।

କୁହାଯାଏ ସ୍ୱପ୍ନ ଦେଖିବାକୁ ଅର୍ଥ ବାଧକ ନୁହେଁ । ଆଉ କିଛି ଲୋକ ନିଜ ସ୍ୱପ୍ନ ପୂରଣ କରିବାକୁ ଏପରି କିଛି କରନ୍ତି ଯାହା ତାଙ୍କୁ ପ୍ରସିଦ୍ଧ କରିଦିଏ । ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି କେରଳ କୋଚିର ବାସିନ୍ଦା କେ. ଆର ବିଜୟନ୍ । କୋଚି ସହରର ଗାନ୍ଧୀ ନଗର ସହରରେ ପ୍ରଥମେ ରାସ୍ତା କଡରେ ପକାଇଥିଲେ ଚା’ ଷ୍ଟଲ ଟିଏ । ଆଉ ତା’ ପରେ ଛୋଟ କ୍ୟାବିନଟେ ଭଡା ନେଇ ପତ୍ନୀଙ୍କ ସହଯୋଗରେ ଖୋଲିଲେ ‘ବାଲାଜୀ ଚା’’ନାମରେ ଷ୍ଟଲ । ବୃତ୍ତି ସିନା ଚା ବିକ୍ରି ହେଲେ ସ୍ୱପ୍ନ କିନ୍ତୁ ଆକାଶ ଛୁଆଁ । ଆଉ ଏହି ଆଶା ପୂରଣ କରିବାକୁ ଚା’ ଥିଲା ମାଧ୍ୟମ । ଦେଶ ବିଦେଶ ବୁଲିବାକୁ ପିଲାବେଳୁ ଥିଲା ବିଜୟନଙ୍କ ଆଗ୍ରହ । ହେଲେ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଏହା ସମ୍ଭବ ହୋଇପାରୁନଥିଲା । ହେଲେ ଯେତେବେଳେ ଚା’ ବ୍ୟବସାୟରୁ ଭଲ ଦି ପଇସା ଲାଭ ହେଲା, ତାଙ୍କର ଏହି ସ୍ୱପ୍ନରେ ଯେପରି ଡେଣା ଲାଗିଗଲା । ଦୈନିକ ଚା’ ବିକି ଯାହା ମିଳୁଥିଲା ସେଥିରୁ ୩୦୦ରୁ ୪୦୦ ଟଙ୍କା ଜମା କରୁଥିଲେ ବିଜୟନ । ଆଉ ଏଥିରେ ପ୍ରତିବର୍ଷ ବାହାରୁଥିଲେ ବିଦେଶ ଯାତ୍ରାରେ । ଏହି ଚେଷ୍ଟା ତଥା ଯାତ୍ରାରେ ତାଙ୍କର ସହଭାଗୀ ଥିଲେ ପତ୍ନୀ ମୋହନା ।

ବିଜୟନଙ୍କ ବିଶ୍ୱ ଯାତ୍ରା ସାରା ଦୁନିଆଁରେ ଚର୍ଚ୍ଚିତ ହୋଇଥିଲା । ୧୫ ବର୍ଷ ମଧ୍ୟରେ ୩୩ଟି ଦେଶ ବୁଲିଛନ୍ତି ବିଜୟନ । ପରିବାର ଜଂଜାଳ ଥିଲେ ବି ତାଙ୍କ ମନର ବିଦେଶ ବୁଲା ଇଚ୍ଛା ପ୍ରବଳ ଥିଲା । ୧୯୮୮ ମସିହାରେ ପତ୍ନୀଙ୍କୁ ନେଇ ସେ ପ୍ରଥମ ଥର ପାଇଁ ସେ ବୁଲିବାକୁ ବାହାରିଥିଲେ । ପ୍ରଥମେ ଯାଇଥିଲେ ହିମାଳୟର ବହୁ ଦର୍ଶନୀୟ ସ୍ଥାନକୁ । ଏହା ପରଠାରୁ ବିଦେଶ ଯାତ୍ରାର ମୁଳଦୁଆ ପଡିଥିଲା । ୨୦୦୭ ଡିସେମ୍ବରରେ ସେ ପ୍ରଥମେ ବିଦେଶ ଗସ୍ତରେ ଇଜିପ୍ଟ ଯାଇଥିଲେ । ଏହା ପରେ ଜର୍ମାନୀ, ବ୍ରାଜିଲ , ପେରୁ, ସ୍ୱିଜରଲ୍ୟାଣ୍ଡ, ଆମେରିକା ଆଦି ବୁଲିଛନ୍ତି ।

ବିଦେଶକୁ ଯାଇ ସେଠିକାର ଜୀବନ ଶୈଳୀ ଓ ଅଭିଜ୍ଞାତାକୁ ସାଉଁଟିବାକୁ ଭଲ ପାଉଥିଲେ ବିଜୟନ୍ । କେତେ କମ ଖର୍ଚ୍ଚରେ ବିଦେଶ ବୁଲା ହୋଇପାରିବ ସେ ବାବଦରେ ପୁରା ମାହିର ଥିଲେ ବିଜୟନ । ଚା’ ବିକି ତାଙ୍କର ଏହି ବିଶ୍ୱ ଭ୍ରମଣ ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ । ପରିଶ୍ରମ କରି ବିଜୟନଙ୍କ ବିଦେଶ ବୁଲା ଅନେକଙ୍କୁ ପ୍ରୋତ୍ସାହିତ ମଧ୍ୟ କରିଥିଲା । ଫଳରେ ଅନୁପମ ଖେର ଓ ମହେନ୍ଦ୍ରା ଗ୍ରୁପର ମାଲିକ ଆନନ୍ଦ ମହିନ୍ଦ୍ରା ତାଙ୍କର ଏହି ଆଗ୍ରହକୁ ଆହୁରି ଆଗେଇ ନେବାକୁ ସହାୟତା ମଧ୍ୟ କରିଥିଲେ । କେବଳ ୨୦୨୦ରେ କୋଭିଡ ଯୋଗୁଁ ବୁଲିବାକୁ ଯାଇପାରିନଥିବାବେଳେ କିଛି ଦିନ ପୂର୍ବରୁ ପତ୍ନୀ ମୋହନାଙ୍କ ସହ ଋଷିଆ ବୁଲି ଫେରିଥିଲେ । ଆସନ୍ତା ଡିସେମ୍ବରରେ ପୂର୍ବ ଏସୀଆର କିଛି ଦେଶକୁ ବୁଲିଯିବାକୁ ପ୍ରସ୍ତୁତି କରୁଥିଲେ ।ହେଲେ ଏହି ଯାତ୍ରା ପୂର୍ବରୁ ବିଜୟନ ଚାଲିଗଲେ ମହାଯାତ୍ରାରେ, ଯେଉଁଠୁ ଆଉ ଫେରିହେବନି । ଶୁକ୍ରବାର ସକାଳେ ସମାଜ ପାଇଁ ନୂଆ ଦିଗନ୍ତ ଖୋଜିଦେଇଥିବା ଏହି ବ୍ୟକ୍ତିଙ୍କର ଜୀବନ ପ୍ରଦୀପ ଲିଭିଯାଇଛି ।ହେଲେ ତାଙ୍କ ଚା’କୁ ଏବେ ବି ଝୁରୁଛନ୍ତି ଗ୍ରାହକ ।