ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ବିଜୟା ଦଶମୀ। ପୂଜା ମଣ୍ଡପରେ ମହାମାୟାଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା।

57

କନକ ବ୍ୟୁରୋ: ଅସତ୍ୟ ଉପରେ ସତ୍ୟର ଜୟ । ଅଧର୍ମ ଉପରେ ଧର୍ମର ଜୟ । ଆସୁରିକ ଶକ୍ତି ଉପରେ ଦୈବୀ ଶକ୍ତିର ବିଜୟ । ଆଉ ଏହାର ପ୍ରତୀକ ହେଉଛି ବିଜୟା ଦଶମୀ ବା ଦଶହରା । ମହିଷାସୁରର ପାପଭାରରେ ଯେତେବେଳେ ସମସ୍ତେ ତ୍ରାହି ତ୍ରାହି ଡାକୁଥିଲେ ସେତେବେଳେ ଧରାପୃଷ୍ଠରେ ଅବତରଣ କରିଥିଲେ ଜଗଦଜନନୀ ମାଆ ଦୁର୍ଗା । ଅଧର୍ମୀ ମହିଷାସୁରର ଅନ୍ତ କରି ପୁଣି ଥରେ ଧର୍ମ ସ୍ଥାପନା କରିଥିଲେ । ସେହିପରି ଦୁରାଚାରି ରାବଣକୁ ହତ୍ୟା କରି ପାପଭାରରୁ ପୃଥିବୀକୁ ମୁକ୍ତ କରିଥିଲେ ପ୍ରଭୁ ରାମଚନ୍ଦ୍ର । ପୁରାଣରେ ବର୍ଣ୍ଣିତ ଏହି ଦୁଇଟି କାଳଜୟୀ ଘଟଣା ଘଟିଥିଲା ଆଶ୍ୱିନ ମାସ ଶୁକ୍ଲ ପକ୍ଷର ଦଶମୀ ତିଥିରେ । ଯେଉଁଦିନକୁ ଆଜି ପର୍ଯ୍ୟନ୍ତ ଧୁମଧାମରେ ପାଳନ କରି ଆସୁଛନ୍ତି ହିନ୍ଦୁଧର୍ମାବଲମ୍ବୀ । ପୁରଠୁ ପଲ୍ଲୀ ଯାଏଁ ଅତ୍ୟନ୍ତ ବିଜୟ ଉଲ୍ଲାସ ସହ ପାଳନ କରାଯାଉଛି ଦଶହରା । ସମସ୍ତଙ୍କ ମନରେ ନୂଆ ଉତ୍ସାହ ଓ ନୂଆ ଉଦ୍ଦୀପନା ଦେଖିବାକୁ ମିଳିଛି ।

ସାରାରାଜ୍ୟରେ ମାଆ ଦୁର୍ଗାଙ୍କ ପୂଜା ମହାଆଡମ୍ବରରେ ପାଳନ କରାଯାଉଛି । ସ୍ୱତନ୍ତ୍ର ମନ୍ତ୍ରରେ ମହିଷମର୍ଦ୍ଦିନୀଙ୍କ ଚାଲିଛି ପୂଜାର୍ଚ୍ଚନା । ଘଣ୍ଟ ଘଣ୍ଟା, ହୁଳହୁଳି ଶବ୍ଦରେ କମ୍ପ ଉଠୁଛି ପୂଜାମଣ୍ଡପ । ମହାମାୟାଙ୍କ ବିଜୟା ଦଶମୀ ଅବସରର ପୂଜା ମଣ୍ଡପଗୁଡିକରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଜଗତଜନନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତିରେ ମାଆଙ୍କୁ ଆରାଧନା କରାଯାଉଛି । କଟକ, ଭୁବନେଶ୍ୱରରେ ବଡ଼ ବଡ଼ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ । ଦୁର୍ଗାପୂଜାର ଶେଷ ଦିନ ହୋଇଥିବାରୁ ମାଆଙ୍କୁ ଦର୍ଶନ କରିବା ସହ ମାଆଙ୍କ ଆଶିଷ ପାଇବାକୁ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଆଗ୍ରହ । ଦିନତମାମ ବିଭିନ୍ନ ମଣ୍ଡପରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି ।

ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ବିଜୟା ଦଶମୀର ଅନ୍ୟତମ ଆକର୍ଷଣହେଉଛି ରାବଣ ପୋଡି । ଆଜିର ଦିନରେ ରାବଣକୁ ହତ୍ୟା କରି ଅଧର୍ମ ଉପରେ ବିଜୟ ଲାଭ କରି ଧର୍ମ ସ୍ଥାପନା କରିଥିଲେ ପ୍ରଭୁ ଶ୍ରୀରାମ । ଏହାର ପ୍ରତୀକ ଭାବେ ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ମହାସମାରୋହରେ ପାଳନ କରାଯାଉଛି ।