କାହିଁକି ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୂପାଣୀ? ୩ଟି କାରଣକୁ ନେଇ ବଢିଲା ଚର୍ଚ୍ଚା!

341

କନକ ବ୍ୟୁରୋ: ଅଚାନକ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ କାହିଁକି ଇସ୍ତଫା ଦେଲେ ବିଜୟ ରୂପାଣୀ ? ୫ ବର୍ଷ ଓ ୩୬ ଦିନ ମୁଖ୍ୟମନ୍ତ୍ରୀ ଆସନରେ ରହିବା ପରେ କାହିଁକି ତାଙ୍କୁ ପଦବୀ ତ୍ୟାଗ କରିବାକୁ ପଡିଲା ? ଏପରିକି ରାଜ୍ୟ ବିଧାନସଭା ନିର୍ବାଚନକୁ ଆଉ ବର୍ଷଟିଏ ବାକି ଥିବାବେଳେ ତାଙ୍କ ନିଷ୍ପତ୍ତିକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା । ବିଜେପି ଶୀର୍ଷ ନେତୃତ୍ୱ ତାଙ୍କୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି? ଏଭଳି କଳ୍ପନା ଜଳ୍ପନା ଭିତରେ ବିଜୟ ରୂପାନୀଙ୍କ ଇସ୍ତଫାର ୩ଟି ସମ୍ଭାବ୍ୟ କାରଣକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି-:

କାରଣ ୧ – ରାଜ୍ୟରେ କୋଭିଡ ପରିଚାଳନାରେ ସେ ବିଫଳ ହେବାରୁ ଦ୍ୱିତୀୟ ଲହର ବ୍ୟାପକ କ୍ଷୟକ୍ଷତି କଲା ବୋଲି କୁହାଯାଉଛି ।
କାରଣ ୨- ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜୟ ରୂପାନୀଙ୍କୁ ବଦଳାଇବା ପାଇଁ ଗତବର୍ଷ ବିଜେପି ଶୀର୍ଷ ନେତତ୍ୱ ନିଷ୍ପତ୍ତି କରିଥିବା ଚର୍ଚ୍ଚା ହେଉଛି ।
କାରଣ ୩- ରାଜ୍ୟ ବିଜେପି ଉପରେ ପଟ୍ଟିଦାର ସଂପ୍ରଦାୟ ଖୁସି ନଥିବାରୁ ଏହି ବର୍ଗରୁ ପ୍ରତିନିଧିତ୍ୱ ଦେଇ ବଢୁଥିବା ଅସନ୍ତୋଷକୁ କମାଇବାକୁ ଚେଷ୍ଟା କରିପାରେ ବିଜେପି ।

ତେବେ ରୂପାଣିଙ୍କ ପରେ ଗୁଜରାଟର କିଏ ମଙ୍ଗ ଧରିବ, ତାରି ଉପରେ ନଜର ଅଟକିଛି । ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ପୁରୁଷୋତମ ରୂପାଲା ଓ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ ତିନି ମାସ ଭିତରେ ବିଜେପି ଶାସିତ ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ବଦଳିଛନ୍ତି ।

ଅନ୍ୟପଟେ ଆଉ କିଛି ସମୟ ପରେ ଆଜି ବିଜେପି ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ ବୋଲି ଆକଳନ କରାଯାଉଛି । ବିଜେପି ବିଧାୟକ ଦଳ ବୈଠକ ଆଜି ଦିନ ୨ଟାରେ ବସିବ । ସେପଟେ ବିଜେପି ବିଧାୟକମାନେ ଗାନ୍ଧିନଗରରେ ପଂହଚିବା ଆରମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଗୁଜରାଟରେ ପଂହଚି ଦଳୀୟ ଅଫିସକୁ ଯାଇଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ରେସରେ ତାଙ୍କ ନାଁ ଆଗରେ ଥିବା ଚର୍ଚ୍ଚା ହେଉଛି । ଗୁଜରାଟରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବ । ଏହାପୂର୍ବରୁ ବିଜୟ ରୂପାଣୀଙ୍କ ଅଚନାକ ଇସ୍ତଫା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।